ପାର୍ବଣରେ ଜମିଲା ଅନଲାଇନ୍ ବେପାର : ୧୦ ଦିନରେ ୪୦ ହଜାର କୋଟି ଟଙ୍କାର ସାମଗ୍ରୀ ବିକ୍ରି; ଘଣ୍ଟାକୁ ୫୬ ହଜାର ମୋବାଇଲ ବିକ୍ରି

290

କନକ ବ୍ୟୁରୋ : ପାର୍ବଣରେ ଅନଲାଇନ୍ ବଜାରରେ ପ୍ରବଳ କିଣାବିକା ଦେଖିବାକୁ ମିଳିଛି । ଭାରତୀୟମାନେ ୪୦ ହଜାର କୋଟି ଟଙ୍କାର ସାମଗ୍ରୀ କିଣିଛନ୍ତି । ଦେଶରେ ଘଣ୍ଟାକୁ ୫୬ ହଜାର ମୋବାଇଲ ବିକ୍ରି ହେଉଥିବା ଏକ ରିପୋର୍ଟରେ ଆକଳନ କରାଯାଇଛି । ଗତ ସେପ୍ଟେମ୍ବର ୨୦ରୁ ୩୦ ତାରିଖ ଅର୍ଥାତ ୧୦ ଦିନ ମଧ୍ୟରେ ପ୍ରାୟ ୪୦ ହଜାର କୋଟି ଟଙ୍କାର ସାମଗ୍ରୀ ବିକ୍ରି ହୋଇଛି ।

ଗତବର୍ଷ ତୁଳନାରେ ଏଥର ବେପାର ୨୭ ପ୍ରତିଶତ ବୃଦ୍ଧି ପାଇଛି । ବିକ୍ରି ସାମଗ୍ରୀ ମଧ୍ୟରେ ୪୧ ପ୍ରତିଶତ ମୋବାଇଲ ରହିଛି । ମୋବାଇଲ ପରେ ଫେସନ ସାମଗ୍ରୀ ଅଧିକ ବ୍ରିକି ହୋଇଛି । ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ପାର୍ବଣରେ ଫେସନ ସାମଗ୍ରୀ ବିକ୍ରିରେ ୪୮ ପ୍ରତିଶତ ବୃଦ୍ଧି ହୋଇଛି । ବଜାର ଗବେଷଣା ଫାର୍ମ ରେଡସିଅର ଷ୍ଟ୍ରାଟେଜି କନସଲଂଟାଂଟସ୍ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ମୁତାବକ ଫେଷ୍ଟିଭ ସେଲ ଆରମ୍ଭରୁ ୮ କୋଟି ଗ୍ରାହକ ସାମଗ୍ରୀ କିଣିବା ପାଇଁ ଅର୍ଡର ଦେଇଥିଲେ ।

ମୋଟ ବ୍ରିକି ରାଶିରେ ଫ୍ଲିପକାର୍ଟ ଗ୍ରୁପ୍ ସର୍ବାଧିକ ୬୨ ପ୍ରତିଶତ ସାମଗ୍ରୀ ବିକ୍ରି କରିଛି । ଏହା ପଛକୁ ୨୧ ପ୍ରତିଶତ ବିକ୍ରି ସହ ମେସୋ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ପାର୍ବଣ ସାଧାରଣତ ଦୀପାବଳୀ ପର୍ଯ୍ୟନ୍ତ ଚାଲେ । ପାର୍ବଣ ମାସରେ ପ୍ରାୟ ୧୧ ଦଶମିକ ୮ ବିଲିୟନ ଡଲାର ଅର୍ଥାତ ୯୭ ହଜାର କୋଟିରୁ ଅଧିକ ଟଙ୍କାର ସାମଗ୍ରୀ ବିକ୍ରି ହେବ ବୋଲି ଆକଳନ କରାଯାଇଛି ।