ଜାତିସଂଘରେ ଚୀନ ବିରୋଧରେ ଭୋଟ ଦେଲାନି ଭାରତ : ଚୀନର ସିନଜାଙ୍ଗରେ ମାନବ ଅଧିକାର ଉଲ୍ଲଙ୍ଘନ ଉପରେ ବିତର୍କ ପାଇଁ ଆସିଥିଲା ପ୍ରସ୍ତାବ

174

କନକ ବ୍ୟୁରୋ : ଜାତିସଂଘରେ ଚୀନ ବିରୋଧରେ ଭୋଟ ଦେବାରୁ ନିବୃତ ରହିଲା ଭାରତ । ଚୀନର ଉତର-ପଶ୍ଚିମ ସିନଜାଙ୍ଗ୍ ଅଞ୍ଚଳରେ ବିଶୃଙ୍ଖଳା ଏବଂ ଅଶାନ୍ତି ଲାଗିରହିଥିବା ବେଳେ ଏହା ଉପରେ ଏକ ବିତର୍କ କରିବାକୁ ଜାତିସଂଘରେ ପ୍ରସ୍ତାବ ଆସିଥିଲା । ଚୀନର ଏହି ସ୍ୱୟଂଶାସିତ ଅଞ୍ଚଳରେ ମାନବ ଅଧିକାର ଉପରେ ବିତର୍କ କରିବାକୁ ଆମେରିକା, କାନାଡା ଏବଂ ବ୍ରିଟେନ୍ ପ୍ରସ୍ତାବ ଆଣିଥିଲେ । ଏହି ପ୍ରସ୍ତାବଟି ନାକଜ ହୋଇଯାଇଥିଲା ।

୪୭ ସଦସ୍ୟ ବିଶିଷ୍ଠ ସଂଘର ୧୭ ଜଣ ସଦସ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଥିବା ବେଳେ ଚୀନ ସମେତ ୧୯ ସଦସ୍ୟ ଏହାକୁ ବିରୋଧ କରିଥିଲେ । କିନ୍ତୁ ଭାରତ, ବ୍ରାଜିଲ, ମେକ୍ସିକୋ ଏବଂ ୟୁକ୍ରେନ ସମେତ ୧୧ ଜଣ ଭୋଟ ଦେବାରୁ ନିବୃତ ରହିଥିଲେ । ପ୍ରସ୍ତାବ ଆସିବା ପୂର୍ବରୁ ଚୀନ ସତର୍କ କରାଇ କହିଥିଲା ଏବେ ଚୀନ ମାନବ ଅଧିକାର ଉଲଙ୍ଘନ କରୁଥିବା ଅଭିଯୋଗ ଆସିଛି, ଆଗାମୀ ଦିନରେ ଅନ୍ୟ ଦେଶଗୁଡିକ ବିରୋଧରେ ମଧ୍ୟ ଅଭିଯୋଗ ଆସିବ ।

ଆଜି ଚୀନକୁ ଟାର୍ଗେଟ କରାଯାଉଛି ଆଗାମୀ ଦିନରେ ଅନ୍ୟ ବିକାଶଶୀଳ ରାଷ୍ଟ୍ରଗୁଡିକୁ ଟାର୍ଗେଟ କରାଯିବ ବୋଲି କହିଥିଲେ ଚୀନର ଅଧିକାରୀ । ସୂଚନାଯୋଗ୍ୟ, ଗତ ଅଗଷ୍ଟ ୩୧ ତାରିଖରେ ଜାତିସଂଘ ପକ୍ଷରୁ ଚୀନର ସିନଜାଙ୍ଗ୍ ଅଂଚଳରେ ଗୁରୁତର ମାନବ ଅଧିକାର ଆଇନ ଉଲଙ୍ଘନ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା ।