ଚିକିିତ୍ସା ପାଇଁ ଦିଲ୍ଲୀ ଗଲେ ପିଣ୍ଟୁ ନନ୍ଦ: ଘରୋଇ ହସ୍ପିଟାଲରେ ହେବ ଲିଭର ଟ୍ରାନ୍ସପ୍ଲାଣ୍ଟ

252

କନକ ବ୍ୟୁରୋ: ଏକାଧିକ ଓଡିଆ ଫିଲ୍ମରେ, ବିଭିନ୍ନ ଚରିତ୍ରରେ ଦମଦାର ଅଭିନୟ କରି ଲୋକଙ୍କ ମନ ଜିଣୁଥିବା ଅଭିନେତା ପିଂଟୁ ନନ୍ଦ ଗୁରୁତର ହେବା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନିଆଯାଇଛି । ଏ ହେଉଛି ଦିଲ୍ଲୀ ଯିବା ସମୟରେ ଭୁବନେଶ୍ୱର ବିମାନବନ୍ଦରର ଦୃଶ୍ୟ । ଗୁରୁତର ଯକୃତ ବା ଲିଭର ସିରୋସିସ୍ ରୋଗରେ ପୀଡିତ ପିଂଟୁଙ୍କର ଏବେ ଦିଲ୍ଲୀ ସ୍ଥିତ ଘରୋଇ ହସ୍ପିଟାଲ ଆଇଏଲବିଏସ୍ ବା ଇନଷ୍ଟିଚ୍ୟୁଟ ଅଫ୍ ଲିଭର ଆଣ୍ଡ ବିଲିଆରୀ ସାଇନସେସ ରେ ଚିକିତ୍ସା କରାଯିବ । ସେଠାରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଂଟ ବା ଯକୃତ ପ୍ରତିରୋପଣ କରାଯିବ ବୋଲି ସୂଚନା ମିଳିଛି ।

ଲିଭର ସିରୋସିସରେ ପୀଡିତ ହେବା ପରେ ଗୁରୁତର ଅବସ୍ଥାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପିଂଟୁ ଚିକିତ୍ସିତ ହେଉଥିଲେ । ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଲିଭର ଟ୍ରାନ୍ସପ୍ଲାଂଟ କରିବାକୁ କହିଥିଲେ । କିନ୍ତୁ ଏଥିପାଇଁ ୫୦ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ଥିବାରୁ ସହାୟତା ଲୋଡିଥିଲେ ପିଂଟୁ  । ଆଉ ତା ପରେ, ପିଂଟୁଙ୍କ ସହାୟତା କରିବାକୁ ଆଗେଇ ଆସିଛି ଓଲିଉଡ୍ ସମେତ ତାଙ୍କୁ ଭଲ ପାଉଥିବା ଅନେକ ବ୍ୟକ୍ତି । ଦିଲ୍ଲୀ ଯିବା ବେଳେ ବିମାନବନ୍ଦରରେ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ପିଂଟୁଙ୍କ ଚିକିତ୍ସା ପାଇଁ ଭିକ ମାଗିଛନ୍ତି । ବିମାନ ବନ୍ଦରରେ ଯାତ୍ରୀଙ୍କ ଠାରୁ ସହାୟତା ପାଇବା ଆଶାରେ ଭିକ ମାଗିଛନ୍ତି ରାଣୀ ।

ସୂଚନା ଅନୁସାରେ ପିଂଟୁଙ୍କୁ ତାଙ୍କର ଜଣେ ବନ୍ଧୁ ଲିଭର ଦାନ କରିବେ । ସେହି ଲିଭରକୁ ପିଂଟୁଙ୍କ ଦେହରେ ପ୍ରତିରୋପଣ କରାଯିବ । ତାପରେ ତାଙ୍କୁ ପାଖାପାଖି ୩ ମାସ ପର୍ଯ୍ୟନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ରହିବାକୁ ପଡିବ ।

୪୫ବର୍ଷୀୟ ପିଣ୍ଟୁ ନନ୍ଦ ଓଲିଉଡର ଜଣେ ଆଗଧାଡିର କଳାକାର । ୩୦ରୁ ଅଧିକ ଫିଲ୍ମରେ ସେ ନିଖୁଣ ଅଭିନୟ କରିଛନ୍ତି । କେତେବେଳେ ଅଭିନେତା ତ କେତେବେଳେ ସହ ଅଭିନେତା ଏବଂ କମେଡିଆନ ଚରିତ୍ରରେ ସେ ଦର୍ଶକଙ୍କୁ ହସାଇଛନ୍ତି, କନ୍ଦାଇଛନ୍ତି ଓ ଅଭିନୟର ଯାଦୁରେ ବାନ୍ଧି ରଖିଛନ୍ତି । କିନ୍ତୁ ଏବେ ସେ ଲିଭର ସିରୋସିସରେ ପୀଡିତ ହୋଇ ବଂଚିବାକୁ ସଂଘର୍ଷ କରୁଛନ୍ତି ।