ନିର୍ବାଚନ ମଇଦାନରେ ପୁଅ । ସାରଥୀ ସାଜିଛନ୍ତି ବାପା

404

କନକ ବ୍ୟୁରୋ : ପୁଅଙ୍କ ପାଇଁ ବାପା ସାଜିଛନ୍ତି ସାରଥୀ । ୨୪ ନିର୍ବାଚନରେ ଲଢ଼େଇ କରୁଛନ୍ତି ପୁଅ, କିନ୍ତୁ ଗୋଟି ଚଳାଉଛନ୍ତି ବାପା । ନିର୍ବାଚନୀ ମଇଦାନର ଏଭଳି କିଛି ରୋଚକ ଚିତ୍ର କଏଦ କ୍ୟାମେରାରେ ହୋଇଛି । ଓଡ଼ିଶା ରାଜନୀତିର ବଡ଼ ବଡ଼ ଚେହେରା ଏବେ ପ୍ରାର୍ଥୀ ହୋଇଥିବା ପୁଅଙ୍କ ପାଇଁ ରାଲି କରୁଛନ୍ତି, ସଭା କରୁଛନ୍ତି ।
ମାହାଙ୍ଗା
ମାହାଙ୍ଗା ନିର୍ବାଚନୀ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ହୋଇଥିବା, ପୁଅ ଅଙ୍କିତ ଜେନାଙ୍କ ପାଇଁ ପ୍ରଚାର କରୁଛନ୍ତି ବାପା ପ୍ରତାପ ଜେନା । ଆଗେ ଆଗେ ବାପା, ଆଉ ପଛେ ପଛେ ପୁଅ । ଏଥର ପ୍ରତାପ ଜେନାଙ୍କ ବଦଳରେ ପୁଅ, ଅଙ୍କିତଙ୍କୁ ପ୍ରାର୍ଥୀ କରିଛି ଦଳ । ଆଉ ପୁଅକୁ ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ନିଜେ କାତ ଧରି ଆହୁଲା ମାରୁଛନ୍ତି ବାପା ।

ପାଟକୁରା
ରାଜନୀତିରେ ବେଳେବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳେ, ଯାହା ହୁଏତ କେବେ ଦେଖିବାକୁ ମିଳିବ, ତାହା କଳ୍ପନା ବାହାରେ ଥାଏ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଜୟ ମହାପାତ୍ର । ଅବଶ୍ୟ ପ୍ରାର୍ଥୀ ଅଛନ୍ତି ତାଙ୍କ ପୁଅ ଅରବିନ୍ଦ ମହାପାତ୍ର । ପାଟକୁରାରେ ବିଜୟ ମହାପାତ୍ର, ପୁଅ ଅରବିନ୍ଦ ମହାପାତ୍ରଙ୍କ ପାଇଁ ପ୍ରଚାର କରିଛନ୍ତି ।

ନୂଆପଡ଼ା
ନୂଆପଡ଼ାରେ ବି ପୁଅଙ୍କ ପାଇଁ ପ୍ରଚାର କରୁଛନ୍ତି ବାପା । କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ, ଅଭିନନ୍ଦନ ପଣ୍ଡାଙ୍କ ପାଇଁ କେଉଁଠି ରାଲି କରୁଛନ୍ତି ତ କେଉଁଠି ସଭା କରୁଛନ୍ତି । ବସନ୍ତ ପଣ୍ଡାଙ୍କୁ ଏଥର ବିଜେପି ଟିକେଟ୍ ଦେଇନି । ତାଙ୍କ ବଦଳରେ ପୁଅଙ୍କୁ ବିଧାନସଭା ପ୍ରାର୍ଥୀ କରିଛି ଦଳ । ଆଉ ପୁଅକୁ ଜିତାଇବା ପାଇଁ ଭରପୁର ପ୍ରୟାସ କରୁଛନ୍ତି ବସନ୍ତ ।

ବଲାଙ୍ଗୀର
ବଲାଙ୍ଗୀରରେ ବି ବାପା-ପୁଅଙ୍କୁ ଏକାଠି ପ୍ରଚାର ମୈଦାନରେ ଦେଖିବାକୁ ମିଳିଛି । ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ପୁଅ ସମରେନ୍ଦ୍ର ମିଶ୍ରଙ୍କ ପାଇଁ ପ୍ରଚାର କରିଛନ୍ତି । ଗତଥର ଲୋକସଭା ଆସନ ପାଇଁ ଲଢ଼ିଥିବା ସମରେନ୍ଦ୍ର, ଏଥର ବିଧାନସଭା ଲଢ଼େଇକୁ ଓହ୍ଲାଇଛନ୍ତି । ଆଉ ପୁଅଙ୍କ ପାଖେ ପାଖେ ରହି ରଣନୀତି କରୁଛନ୍ତି ବାପା ନରସିଂହ ।

 ଏହି ୪ ରାଜନେତା ଓଡ଼ିଶା ରାଜନୀତିର ପୋଖତ୍ ଖେଳୁଆଡ଼ । ରାଜନୀତିରେ ବଡ଼ ବଡ଼ ଇନିଂସ ଖେଳିଥିବା ଏହି ୪ ନେତା ଏବେ ପୁଅଙ୍କ ପାଇଁ ଅଗ୍ନି ପରୀକ୍ଷା ଦେଉଛନ୍ତି । ପୁଅଙ୍କ କ୍ୟାରିୟର ସଜାଡ଼ିବାରେ ଏହି ନେତାମାନେ କେତେ ସଫଳ ହେଉଛନ୍ତି, ତାହା ନିର୍ବାଚନ ଫଳାଫଳ ହିଁ ସ୍ପଷ୍ଟ କରିବ ।