ଶ୍ରାବଣରେ ଶୁଖିଲା ପଡିଛି ଚାଷ ଜମି: ଅନେକ ଜିଲ୍ଲାରେ ମରୁଡି ପରିସ୍ଥିତି 

157

କନକ ବ୍ୟୁରୋ: ଶ୍ରାବଣ ସରିବାକୁ ବସିଲାଣି କିନ୍ତୁ. ଚାଷ ଜମିରେ ପାଣି ବୁନ୍ଦେ ନାହିଁ । ନିଅଂଟିଆ ବର୍ଷା ପାଇଁ ଚାଷ ଜମି ଶୁଖିଲା ପଡିଛି । ଜମିରେ ପାଣି ନାହିଁ କେନାଲରେ ଖୁବ୍ କମ୍ ପାଣି ଆସୁଛି । ତାହା ତଳମୁଣ୍ଡ ଯାଏଁ ପହଂଚି ପାରୁନାହିଁ । ଯାଜପୁର ଜିଲ୍ଲାର ବିଂଝାରପୁରରେ ଜଳସଂପଦ ବିଭାଗ ତରଫରୁ କେନାଲ ସଫେଇ ହେଉନାହିଁ କି ସଢିକ ଢଙ୍ଗରେ ରକ୍ଷଣାବେକ୍ଷଣ କରାଯାଉନାହିଁ । ଚାଷ ଜମିରେ କେନାଲ ପାଣି ମାଡୁନାହିଁ । ଫାଇନାନ୍ସ କମ୍ପାନୀ, ସାହୁକାରଙ୍କ ଠାରୁ ଋଣ ଆଣି ଧାନ ଚାଷ କରିଥିବା ଚାଷୀଙ୍କ ଆଶା ମଉଳି ଯାଇଛି ।

ଅଗଷ୍ଟ ମାସରେ ପାଣି ଅଭାବରୁ ଜମି କାଦୁଅ ହୋଇପାରୁନାହିଁ । ଧାନ ବିଲ ଶୁଖିଲା ପଡିଥିବା ବେଳେ ତଳି ବୁଢା ହୋଇଗଲାଣି । ଯେଉଁ ଜମିରେ ଧାନ ତଳି ରୁଆ ହୋଇଥିଲା, ତାହା ଫାଟି ଆଁ କରିଛି । ଯଦି ଏଇ ନିକଟରେ ବର୍ଷା ନହୁଏ, ତେବେ କଳାହାଣ୍ଡି ଧର୍ମଗଡ ବ୍ଲକର ଅଣଜଳସେଚିତ ଉପାନ୍ତ ଅଂଚଳରେ ଚାଷ ଉଜୁଡି ଯିବାର ଆଶଙ୍କା ବଢି ଯାଇଛି । ଚାଷୀଙ୍କୁ ଏବେ ମରୁଡି ଚିନ୍ତା ଘାରିଛି ।

ପ୍ରତି ବର୍ଷ ଭଳ ଚଳିତ ବର୍ଷ, ପ୍ରଥମ ବର୍ଷାକୁ ଦେଖି ଚାଷୀ ଚାଷ କାମ ଆରମ୍ଭ କରିଥିଲେ. ଭାବିଥିଲେ ଚାଷ ଭଲ ହେଲେ ଫସଲ ଅମଳ କରି କରଜ ସୁଝିବା ସହ ପରିବାର ପାଇଁ ବର୍ଷକର ଆହାର ସଂଚୟ କରିବେ କିନ୍ତୁ ନିଅଂଟିଆ ବର୍ଷା ଚାଷୀଙ୍କ ସବୁ ସ୍ୱପ୍ନ ଚୁରମାର କରିଦେଇଛି ।