ଗାଁ ରାଜନୀତିରେ ‘ମୋଦି ଟଙ୍କା’ ନେଇ ମୁହାଁମୁହିଁ । ପାଟଣାଗଡରେ ଯୋଜନା ପଲିଟିକ୍ସ

139

କନକ ବ୍ୟୁରୋ: ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ବିଜେପିର ପଞ୍ଚାୟତ ନିର୍ବାଚନ ପ୍ରଚାର ମଙ୍ଗ ଧରିଛନ୍ତି ପୂର୍ବତନ ମନ୍ତ୍ରୀ କେ.ଭି. ସିଂଦେଓ । ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ଭୋଟ ମାଗିବା ବେଳେ ଖେଳିଛନ୍ତି ଦିଲ୍ଲୀ କାର୍ଡ । ମୋଦୀ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ନେଇ ଆଦିବାସୀ ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କରୁଛନ୍ତି କେଭି । ସବୁଠାରୁ ବଡ କଥା ହେଉଛି ଗରୀବଙ୍କ ପାଇଁ ମୋଦି ପଠାଉଥିବା ଟଙ୍କାକୁ ବ୍ୟବହାର କରି ରାଜ୍ୟ ସରକାର ବାହାବାଃ ନେଉଥିବା ଅଭିଯୋଗ କରି ଶାସକ ବିଜେଡିକୁ ଟାର୍ଗେଟ କରିଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ଯୋଜନା କେବଳ ପ୍ରଚାର ସର୍ବସ୍ୱ ବୋଲି କହିଛନ୍ତି ପାଟଣାଗଡ ମହାରାଜ କନକ ବର୍ଦ୍ଧନ ।

ସେପଟେ ପାଟଣାଗଡରେ ପାଞ୍ଚ ପାଞ୍ଚ ଥର ବିଧାୟକ ରହିଥିବା କେଭିଙ୍କୁ ୨୦୧୯ ସାଧାରଣ ନିର୍ବାଚନରେ ପରାଜୟର ସ୍ୱାଦ ଚଖାଇଥିବା ବିଜେଡିର ଯୁବ ବିଧାୟକ ସରୋଜ ମେହେର ମଧ୍ୟ ଦଳ ପାଇଁ କରିଛନ୍ତି ଜୋରଦାର ପ୍ରଚାର । ତେବେ କେଭିଙ୍କ ଅଭିଯୋଗ ଉପରେ ସିଧାସଳଖ ମୁହଁ ଖୋଲି ନାହାନ୍ତି ସରୋଜ । ହେଲେ କେଭିଙ୍କ ଅମଳରେ ଅଞ୍ଚଳର ଉନ୍ନତି ହୋଇନଥିବାରୁ ଲୋକେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବା କହି ତେରେଛା ବାଣ ମାରିଛନ୍ତି ।

ଗତ ୨୦୧୯ ସାଧାରଣ ନିର୍ବାଚନକୁ ଦେଖିଲେ, ବଲାଙ୍ଗୀର ଜିଲ୍ଲାରେ ତିନି ପ୍ରମୁଖ ରାଜନୈତିକ ଦଳର ସମାନ ପତିଆରା ରହିଛି । ତେଣୁ ସବୁ ଦଳର ନେତା ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜୟ ମୁକୁଟ ପିନ୍ଧିବା ନେଇ ଦମ୍ଭୋକ୍ତି ରଖୁଛନ୍ତି । ଏବେ ବଲାଙ୍ଗୀର ବାସୀ କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ଫଳାଫଳ ପରେ ଜଣାପଡିବ ।