ଝାରସୁଗୁଡା ଉପ ନିର୍ବାଚନରେ ଆଦିବାସୀ ଭୋଟ୍ ଉପରେ ଆଖି । କାହା ପାଖକୁ ଯିବ ଅଘ୍ରିଆ ସମାଜର ଭୋଟ୍ ?

122

କନକ ବ୍ୟୁରୋ: ଝାରସୁଗୁଡା ଉପନିର୍ବାଚନ ଯେତିକି ପାଖେଇ ଆସୁଛି, ନିଜ ସପକ୍ଷରେ ଭୋଟ୍ ହାତେଇବାକୁ ରାଜନୈତିକ ଦଳଗୁଡିକର କସରତ ସେତିକି ଜୋରଦାର ହେବାରେ ଲାଗିଛି । ବିଶେଷ କରି ଆଦିବାସୀ ଭୋଟ୍ ହାତେଇବାକୁ ସ୍ୱତନ୍ତ୍ର ରଣନୀତି କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଝାରସୁଗୁଡା ଜିଲ୍ଲାରେ ପ୍ରାୟ ୨୩ ପ୍ରତିଶତ ଥିବା ଅଘ୍ରିଆ ସମାଜକୁ ଖୁସି କଲାଭଳି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମାଜର ଦାବି ମୁତାବକ ଭୁବନେଶ୍ୱରରେ ଅଧ ଏକର ଜାଗା ଓ ୩ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଶେଷ କରି କୃଷି ଉପରେ ନିର୍ଭର କରୁଥିବା ଏହି ସମାଜ ପଶ୍ଚିମ ଓଡିଶାର ଏକ ପ୍ରମୁଖ ଗୋଷ୍ଠୀ ।

ଅଘ୍ରିଆ ସମାଜର ଲୋକ ମୁଖ୍ୟତଃ ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗୀର ଓ ଦେବଗଡ ଆଦି ଜିଲ୍ଲାରେ ଅଧିକ ଉପସ୍ଥିତି ରହିଛି । ସେମାନେ ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ଦାବି ସଂପର୍କରେ ଜଣାଇଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଆସିବାବେଳେ ରହିବାରେ ଅସୁବିଧା ହେଉଥିବାରୁ ଏକ ଜାଗା ଓ ଭବନ ନିର୍ମାଣ ପାଇଁ ଆର୍ଥିକ ସହାୟତା ଦେବାକୁ କହିଥିଲେ । ସେମାନଙ୍କ ଦାବି ମୁତାବକ ଭୁବନେଶ୍ୱରରେ ଜାଗା ଓ ଭବନ ନିର୍ମାଣ ପାଇଁ ଟଙ୍କା ଘୋଷଣା କରାଯାଇଛି । ସେଥିପାଇଁ ସେମାନେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଧନ୍ୟବାଦ ଜଣାଇଛନ୍ତି ।

ସେପଟେ କଂଗ୍ରେସର ଝାରସୁଗୁଡା ପ୍ରାର୍ଥୀ ତରୁଣ ପାଣ୍ଡେ ଏହି ଅଘ୍ରିଆ ସମାଜରୁ ଆସିଛନ୍ତି । ଜିଲ୍ଲାରେ ପ୍ରାୟ ୨୩ ପ୍ରତିଶତ ଅଘ୍ରିଆ ସମାଜର ଲୋକ ଅଛନ୍ତି । ଏମାନଙ୍କ ଭୋଟ୍ ପାରମ୍ପରିକ ଭାବେ କଂଗ୍ରେସ ଖାତାକୁ ଯାଏ । ତେଣୁ ଏହାକୁ ଆଖିରେ ରଖି ତରୁଣ ପାଣ୍ଡେଙ୍କୁ ଦଳ ମୈଦାନକୁ ଓହ୍ଲାଇଥିଲା । ଚର୍ଚ୍ଚା ହେଉଛି କଂଗ୍ରେସର ଭୋଟ୍ କାଟିବାକୁ ନୂଆ ରଣନୀତି କରିଛି ବିଜୁ ଜନତା ଦଳ । ଆଉ ସେଥିପାଇଁ ଅଘ୍ରିଆ ସମାଜର ଦାବି ପୂରଣ କରି ସେମାନଙ୍କ ଭୋଟ୍ ବ୍ୟାଙ୍କ ଉପରେ ନଜର ପକାଇଛି ।

ସେହିପରି ଏକ ରାଜନୈତିକ ଘଟଣାକ୍ରମରେ କିଛିଦିନ ତଳେ ସହିଦ କରୁଣାକର ସିଂଙ୍କ ଦାୟାତ ବିଜେପିରେ ମିଶିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ହୋଇଥିବା ଏହି ମିଶ୍ରଣପର୍ବ ବିଜେପି ଖାତାକୁ ଆଦିବାସୀ ଭୋଟ୍ ଟେକିଦେବ ବୋଲି ଆକଳନ କରାଯାଉଛି । କାରଣ କୋଲାବିରା ଜମିଦାର ତଥା ସହିଦ କରୁଣାକରଙ୍କ ଦାୟାଦ ଏହି ସମାଜରୁ ଆସିଛନ୍ତି । ଜିଲ୍ଲାରେ ସମ୍ମିଳିତ ଅଦିବାସୀ ସମାଜର ଭୋଟ୍ ବ୍ୟାଙ୍କକୁ ଚେକ୍ ଦେବାପାଇଁ ଏହା ବିଜେପିର ରଣନୀତି ବୋଲି ଚର୍ଚ୍ଚା ହେଉଛି ।