ଭୁବନେଶ୍ୱରରେ କନେସନଟ୍ରିକ୍ସ କଷ୍ଟମର ଏକ୍ସପିରିଏନ୍ସ ସେଣ୍ଟରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ସୃଷ୍ଟି ହେବ ନିଯୁକ୍ତି, ତ୍ୱରାନିତ୍ୱ ହେବ ରାଜ୍ୟର ଅର୍ଥନୀତି ।

128

କନକ ବ୍ୟୁରୋ : ବିଶ୍ୱର ଅନ୍ୟତମ ପ୍ରମୁଖ ବୃତ୍ତିଗତ ସେବା ସଂସ୍ଥା କନେସନଟ୍ରିକ୍ସ ବିପିଓକୁ ଭୁବନେଶ୍ୱରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ କନେସନଟ୍ରିକ୍ସର ଏହି କଷ୍ଟମର ଏକ୍ସପିରିଏନ୍ସ ସେଣ୍ଟର ପ୍ରତିଷ୍ଠା ଫଳରେ ରାଜ୍ୟର ଅର୍ଥନୀତି ଅଧିକ ତ୍ୱରାନ୍ୱିତ ହୋଇପାରିବ ଏବଂ ଯୁବକଯୁବତୀମାନଙ୍କ ପାଇଁ ଉଚ୍ଚ-ବେତନଯୁକ୍ତ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସୁଯୋଗମାନ ସୃଷ୍ଟି ହେବ । ଦୀର୍ଘ ୧୭ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ସମଗ୍ର ବିଶ୍ୱରେ କାର୍ଯ୍ୟ କରିଆସୁଥିବା ଏହି କମ୍ପାନି ହେଉଛି ପୃଥିବୀର ସର୍ବବୃହତ୍‍ ପେଶାଦାର ସେବା ଯେଗାଣକାରୀ ସଂସ୍ଥା । ‘ବ୍ରାଣ୍ଡ ଫାଇନାନ୍ସ’ ପକ୍ଷରୁ ଏହାକୁ ବିଶ୍ୱର ବଳିଷ୍ଠତମ ତଥା ସର୍ବାଧିକ ମୂଲ୍ୟଯୁକ୍ତ ବାଣିଜ୍ୟିକ ସେବା ବ୍ରାଣ୍ଡ ଭାବେ ସ୍ୱୀକୃତି ମିଳିଛି । ଭାରତ ସମେତ ବିଭିନ୍ନ ଦେଶରେ ଅବସ୍ଥାପିତ ଏହି କମ୍ପାନିର କେନ୍ଦ୍ରଗୁଡ଼ିକ ‘ସର୍ବୋତ୍ତମ କାର୍ଯ୍ୟସ୍ଥଳୀ’ ଭାବରେ ତାଲିକାଭୁକ୍ତ ହୋଇପାରିଛି ।

କନେସନଟ୍ରିକ୍ସ ଭୁବନେଶ୍ୱରରେ କଷ୍ଟମର ଏକ୍ସପିରିଏନ୍ସ ସେଣ୍ଟର ପ୍ରତିଷ୍ଠା କରିବା ସହିତ ମହିଳା ସଶକ୍ତିକରଣ ଓ ନିଯୁକ୍ତି ସୁଯୋଗ ସୃଷ୍ଟିପାଇଁ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସହିତ ଏକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତିନାମା ଫଳରେ ବିଶ୍ୱବିଦ୍ୟାଳୟର ପରିସରରେ “କନେସନଟ୍ରିକ୍ସର ଏକ ଦକ୍ଷତା ବିକାଶ କେନ୍ଦ୍ର” ସ୍ଥାପନ କରାଯାଇ ଯୋଗ୍ୟ ଛାତ୍ରୀମାନଙ୍କୁ ବୃତ୍ତିଗତ ଦକ୍ଷତା ବୃଦ୍ଧି କରିବା ପାଇଁ ଆବଶ୍ୟକୀୟ ତାଲିମ ପ୍ରଦାନ କରାଯାଇ ନିଯୁକ୍ତି ପ୍ରଦାନ କରାଯିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହିତ କନେସନଟ୍ରିକ୍ସ କଷ୍ଟମର ଏକ୍ସପିରିଏନ୍ସ ସେଣ୍ଟର ଓଡ଼ିଶାର ସୂଚନା ଓ ପ୍ରଯୁକ୍ତିବିଦ୍ୟା ଅଭିବୃଦ୍ଧି କ୍ଷେତ୍ରରେ ଖୁବ ସାହାଯ୍ୟକାରୀ ହେବ ବୋଲି ଉଲ୍ଲେଖ କରିଥଲେ । କନେସନଟ୍ରିକ୍ସର ସମ୍ପ୍ରସାରଣରେ କନେସନଟ୍ରିକ୍ସର ଦ୍ରୁତ ଅଗ୍ରଗତି କାମନା କରିବା ସହ ଏହା ରାଜ୍ୟର ଯୁବକ-ଯୁବତୀମାନଙ୍କ ପାଇଁ ପ୍ରଯୁକ୍ତି ବିଦ୍ୟାକ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରିଛନ୍ତି ନବୀନ । ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୦୦ ପେଶାଦାର କର୍ମଚାରୀଙ୍କୁ ନେଇ ଆରମ୍ଭ କରାଯାଇଥିବା ଭୁବନେଶ୍ଵର କଷ୍ଟମର ଏକ୍ସପିରିଏନ୍ସ ସେଣ୍ଟରର କର୍ମଚାରୀ ନିଯୋଜନ ୫୦୦୦କୁ ଯଥାଶୀଘ୍ର ବୃଦ୍ଧି କରିବା ଦିଗରେ ଓଡ଼ିଶା ସରକାର ସବୁମତେ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।