ଦିନକୁ ଦିନ ବଢ଼ିଚାଲିଛି ଏସପ୍ଲାନେଡ଼୍ ଛକ ସସମ୍ୟା : କମିସନରେଟ୍ ପୋଲିସର କଡ଼ା ନିଷ୍ପତ୍ତି, ରେଳ ଲାଇନ କଡ଼ରେ କଟକ ରୋଡକୁ ଯିବ ଗାଡ଼ି

245

କନକ ବ୍ୟୁରୋ : ବେଳକୁ ବେଳ ଏସ୍‌ପ୍ଲା‌ନେଡ ଛକର ସମସ୍ୟା ବଢ଼ି ବଢ଼ି ଚାଲିଛି । ବମିଖାଲ ଛକ ପଟୁ ଆସୁଥିବା ଗାଡ଼ି ମୋଟର ରସୁଲଗଡ଼ ଯିବା ପାଇଁ ଦୀର୍ଘ ସମୟ ଧରି ଜାମ୍‌ ମଧ୍ୟରେ ଫସି ରହୁଛନ୍ତି । ସଂଧ୍ୟା ସମୟରେ ପ୍ରତ୍ୟେକ ଦିନ ଏଭଳି ଘଟଣା ଘଟୁଥିଲେ ମଧ୍ୟ ନା ଟ୍ରାଫିକ ପୁଲିସ ନା ଏସ୍‌ପ୍ଲାନେଡ କର୍ତୃପକ୍ଷ କେହି ବି ଏ ଦିଗରେ ଚିନ୍ତା କରୁନାହାନ୍ତି । କେତେବେଳ କେମିତି ଟ୍ରାଫିକ ପୁଲିସ ଆସି ଠିଆ ହୋଇ ସିଗ୍‌ନାଲ ଦେଉଛି । କିନ୍ତୁ ସେହି ଛକଟି ଏଭଳି ଢ଼ଙ୍ଗରେ ଅବ୍ୟବସ୍ଥିତ ହୋଇଛି ଯେ ସମସ୍ୟା ସମାଧାନ ହେବ କ’ଣ ବରଂ ବଢ଼ି ବଢ଼ି ଚାଲିଛି । ଯିଏ ଯେଉଁଠି ପାରିଲା, ଗାଡ଼ି ପାର୍କ କରୁଛି । ଛକରେ ଉଠା ଦୋକାନୀଙ୍କ ସଂଖ୍ୟା ବି ବୃଦ୍ଧି ପାଉଛି। ଛକରେ କିଏ କୁଆଡ଼େ ଯାଉଛି, କିଛି ଜଣାପଡ଼ୁନି । ବେଳେ ବେଳେ ସିକ୍ୟୁରିଟି ଗାର୍ଡ ଏହି ଛକର ଟ୍ରାଫିକ ପରିଚଳାନା ଦାୟିତ୍ବ ତୁଲାଉଛନ୍ତି । ଏହାକୁ ନେଇ ରସୁଲଗଡ଼ ଶିଳ୍ପାଞ୍ଚଳ ସମେତ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି ।

ଏଭଳି ସମୟରେ କମିସନରେଟ୍ ପୁଲିସ ପକ୍ଷରୁ କେତେକ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି । ଏଣିକି ରସୁଲଗଡ଼ ପଟୁ କୌଣସି ଗାଡ଼ି ମୋଟର ବମିଖାଲ ଫ୍ଲାଏ ଓଭର ଦେଇ ସହିଦନଗର ଆଡ଼କୁ ଯାଇ ପାରିବ ନାହିଁ । ଆଜି କମିସନରେଟ ପୁଲିସ ପକ୍ଷରୁ ସେଠାରେ ଏକ ସାଇନଏଜ ଲାଗିଛି । ଯଦି କେହି ଯିବ କମିସନରଟ ପୁଲିସ ପକ୍ଷରୁ ୫ଶହ ଟଙ୍କା ଜରିମାନା ଆଦାୟ କରାଯିବ । ଛକରୁ ଟ୍ରାଫିକ ସମସ୍ୟା କମ୍ କରିବାକୁ ଆଉ ଏକ ଗୁରତ୍ବପୂର୍ଣ୍ଣ ଯୋଜନା କରିଛି କମିସନରେଟ ପୁଲିସ ।

ଏସ୍‌ପ୍ଲାନେଡର ପାର୍କିଂରୁ ବାହାରୁ ଥିବା କାର୍ ଓ ବାଇକ୍‌ ଏଣିକି ସିଧା ସଳଖ କଟକରୋଡକୁ ନ ଆସି ବାମ ପଟକୁ ଯାଇ ରେଳ ଲାଇନ କଡ଼େ କଡ଼େ ବମିଖାଲ ଓଭରବ୍ରିଜ ତଳ ହୋଇ କଟକରୋଡରେ ମିଶିବେ । ଏଥିପାଇଁ ଏସ୍‌ପ୍ଲାନେଡ‌ ପାଖରେ ଥିବା ବସ୍ତି ଓ ରେଳ ଲାଇନ କଡ଼ରେ ଥିବା ବସ୍ତିକୁ ଉଚ୍ଛେଦ କରାଯିବ । ଏନେଇ କମିସନରେଟ ପୁଲିସ ପକ୍ଷରୁ ଏକ ଚିଠି ବିଏମ୍‌ସି, ବିଡିଏ ଓ ଇଡ୍‌କୋକୁ ପ୍ରଦାନ କରାଯାଇଛି । ଖୁବ୍ ଶୀଘ୍ର ଏହା ପାଳନ କରାଯିବ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ଏହି ମଲ୍‌ ଏବେ ରାଜଧାନୀବାସୀଙ୍କ ସମେତ ଅନେକଙ୍କୁ ଏଠାରେ ସପି˚ କରିବାକୁ ଆକର୍ଷିତ କରୁଛି । ଫଳରେ ଏହି ମଲ୍‌କୁ ଦୈନନ୍ଦିନ ଶହଶହ ସ˚ଖ୍ୟାରେ ଗାଡ଼ି ମୋଟର ଆସୁଛି । ସପି˚ ମଲ୍‌ର ସମ୍ମୁଖ ରାସ୍ତାଟି ଅତ୍ୟନ୍ତ ସ˚କୀର୍ଣ୍ଣ। ବମିଖାଲ ଓଭରବ୍ରିଜର ଶେଷ ଭାଗ ମଧୢ ସେହି ସ୍ଥାନରେ । ସାମାନ୍ୟ ବର୍ଷାରେ ସେଠାରେ ଆଣ୍ଠୁଏ ପାଣି ଜମା ହୋଇଥାଏ । ମଲ୍‌ ଖୋଲିବା ପରେ ଏବେ ସେହି ରାସ୍ତାରେ ହଠାତ୍‌ ଉଠା ଦୋକାନ ସଂଖ୍ୟା ବଢ଼ି ଯାଇଛି । ଅନେକ ଅଟୋ ସେଠାରେ ପାର୍କି˚ କରିବା ଆରମ୍ଭ କରିଛନ୍ତି । ଯେଉଁଥି ପାଇଁ ସେଠାରେ ପ୍ରବଳ ଗହଳି ହେଉଛି । ସ˚ଧ୍ୟାରେ ପରିସ୍ଥିତି ଜଟିଳ ହୋଇପଡ଼ୁଛି ।
ମଲ୍‌ ଖୋଲିବାର ଦୁଇ ଦିନ ପର୍ଯ୍ୟନ୍ତ ଟ୍ରାଫିକ୍‌ ପୁଲିସର ଜଣେ ଅଧିକାରୀ ଓ ଦୁଇଜଣ କନଷ୍ଟେବଳ ନିୟୋଜିତ ହୋଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଟ୍ରାଫିକ୍‌ ପୁଲିସ ସେଠାରୁ ହଠାତ୍‌ ଗାଏବ ହୋଇ ଯାଉଛନ୍ତି, ପୁଣି କେତେବେଳେ ଆସି ଫାଇନ ଆଦାୟ କରୁଛନ୍ତି । ଏଥିପାଇଁ ସେହି ରାସ୍ତା ଦେଇ ଯିବା ଆସିବା କରୁଥିବା ସାଧାରଣ ଲୋକ ଓ ସ୍ଥାନୀୟ ବାସିନ୍ଦା ଏବେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବମିଖାଲରୁ ରସୁଲଗଡ଼ ଛକକୁ ମାତ୍ର ୫ମିନିଟ୍‌ ରାସ୍ତାକୁ ଅତିକ୍ରମ କରିବାକୁ ୧୫ରୁ ୨୫ମିନିଟ୍‌ ସମୟ ଲାଗୁଛି । ମଲ୍‌କୁ ଲାଗି ରସୁଲଗଡ଼ ଶିଳ୍ପାଞ୍ଚଳ ରହିଛି । ଯେଉଁଠାରେ ଗଣମାଧ୍ୟମ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବିଭିନ୍ନ କମ୍ପାନି କାରଖାନା ରହିଛି । କିନ୍ତୁ ଛକର ପରିସ୍ଥିତି ଏପରି ଶିଳ୍ପାଞ୍ଚଳ ଭିତରକୁ ପ୍ରବେଶ କରିବାକୁ ଭିଡ଼ ଭିତରେ ଅପେକ୍ଷା କରିବାକୁ ପଡ଼ୁଛି ।