ବରଫର ଧଳା ଚାଦରରେ ଘୋଡାଇ ହୋଇଛି ଜମ୍ମୁକଶ୍ମୀର : ତୁଷାରପାତ ଯୋଗୁଁ ରାସ୍ତାଘାଟ ଜାମ୍, ମଜା ନେଉଛନ୍ତି ପର୍ଯ୍ୟଟକ

140

କନକ ବ୍ୟୁରୋ : ବରଫର ଧଳା ଚାଦର ତଳେ ଜମ୍ମୁକଶ୍ମୀର । ଗତ ୪୮ଘଂଟା ଧରି ରାଜ୍ୟରେ ପ୍ରବଳ ତୁଷାରପାତ ଜାରି ରହିଥିବା ବେଳେ ରାସ୍ତାଘାଟ ଠାରୁ ନେଇ ସବୁ ସ୍ଥାନରେ କେବଳ ବରଫକୁ ଦେଖିବାକୁ ମିଳିଛି । ଆଉ ଏଥିଯୋଗୁଁ ସହର ବହୁ ସୁନ୍ଦର ଦେଖାଯାଉଛି ।  ରାଜୌରୀର ପୀର ପଞ୍ଜଲ ରେଞ୍ଜରେ ତୁଷାରପାତ ଯୋଗୁଁ  ମୁଗଲ ରୋଡରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।  ସହରର ଏହି ସୁନ୍ଦରତାକୁ ଉପଭୋଗ କରିବା ପାଇଁ ଆସୁଥିବା ପର୍ଯ୍ୟଟକଙ୍କ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଫଳରେ ପର୍ଯ୍ୟଟକମାନେ ହୋଟେଲରୁ  ବାହାରକୁ ବାହାରିପାରୁନଥିବା ସୂଚନା ରହିଛି  । ସେପଟେ କ୍ରମାଗତ ତୁଷାରପାତ ବୃଦ୍ଧି ପାଇବା ଯୋଗୁଁ ଦୈନନ୍ଦିନ ଜୀବନ ବେହାଲ ହୋଇପଡିଛି । ସ୍ଥାନୀୟ ଲୋକଙ୍କୁ ଘରୁ ବାହାରିବା ମୁସ୍କିଲ ହୋଇପଡିଛି  । ସେହିପରି ସ୍ନୋଫଲ ଯୋଗୁଁ ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି  ।

ସେହିପରି ହିମାଚଳ ପ୍ରଦେଶର ରାଜଧାନୀ ସିମଲାରେ ସ୍ନୋଫଲ ଆରମ୍ଭ ହୋଇଯାଇଛି ।  ଆଜି ସକାଳୁ ସହରରେ ପ୍ରବଳ ବରଫପାତ ଦେଖିବାକୁ ମିଳିଛି । ବର୍ଷା ଓ ବରଫପାତ ଯୋଗୁଁ ତାପମାନ ବହୁ ହ୍ରାସ ପାଇଥିବା ଜଣାପଡିଛି । ଫଳରେ ଅଂଚଳରେ ବହୁ ଥଣ୍ଡା ଅନୁଭୂତ ହୋଇଛି । ସେପଟେ ବରଫପାତ ଯୋଗୁଁ ସହରସାରା ବରଫ ବିଛୁରିତ ହୋଇଛି ।

ଗଛଲତା, ଯାନବାହାନ ସବୁରେ ବରଫର ମୋଟା ଆସ୍ଥରଣ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ସହ ଏଠାକୁ ଆସୁଥିବା ପର୍ଯ୍ୟଟକ  ସୁନ୍ଦରତାକୁ ଉପଭୋଗ କରିଛନ୍ତି । ପ୍ରତି ବର୍ଷ ଶୀତ ଋତୁରେ ଲୋକମାନେ ସିମଲା,ମସୁରୀ ଓ ନୈନିତାଲକୁ ବୁଲିବାକୁ ଆସିବା ସହ ଏହି ସ୍ନୋଫଲର ମଜା ଉଠାଇଥାନ୍ତ ।