କେମିତି ବାହା ହେବ ମଙ୍ଗୁଳା କନ୍ୟା? ବାହାଘର ପୂର୍ବରୁ ଚୋରି ହେଇଗଲା ସବୁକିଛି । ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁଃଖ ଜଣାଇଲେ ଯୁବତୀ ।

287

କନକ ବ୍ୟୁରୋ: କେମିତି ବାହା ହେବ ମଙ୍ଗୁଳା କନ୍ୟା? କାରଣ ବିବାହ ପାଇଁ ଥିବା ସୁନାଗହଣା ଓ ଟଙ୍କା ସବୁକିଛି ଚୋରି ହୋଇଯାଇଛି । ଚୋରି ସୁନା ଫେରାଇ ଆଣିବାକୁ ଜିଲ୍ଳାପାଳ ଓ ଏସପିଙ୍କ ନିକଟରେ ଗୁହାରି କରିଛନ୍ତି ମଙ୍ଗୁଳା କନ୍ୟା । ଜୟପୁର ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଜନଶୁଣାଣି ଶିବିର ଚାଲିଥିବା ବେଳେ ଏମିତି କିଛି ଅଭିଯୋଗ ଆସିଛି ।

ନିଜ ଦୁଃଖ ନେଇ ପ୍ରଶାସନ ପାଖକୁ ଆସିଛନ୍ତି ଜଣେ ମଙ୍ଗୁଳା କନ୍ୟା । ମନର ଦୁଃଖ ଓ ଛାତିର କୋହକୁ ଚାପି ରଖି ନେହୁରା ହୋଇ କହିଥିଲେ, ଆଜ୍ଞା, ମୋ’ ଭାଗ୍ୟ ଝୁଲି ରହିଛି । ଘର ବସିବା ଆଗରୁ ମୋ’ ଘର ଉଜୁଡ଼ିଯିବ । ବାହଘର ଭାଙ୍ଗିଯିବ, କିଛି କରନ୍ତୁ ଆଜ୍ଞା । ଦିନ କେଇଟା ପରେ ମୋ’ ବାହାଘର । ବାହାଘର ପାଇଁ ବହୁକଷ୍ଟରେ ଟଙ୍କା ଓ ସୁନା ଗହଣା ଯୋଗାଡ଼ କରିଥିଲି । ହେଲେ ଘରୁ ଚୋରି ହୋଇଗଲା । ଯାହା ଟଙ୍କା ଓ ଗହଣା ଥିଲା ସବୁ କିଛି ଚୋରି ହୋଇଗଲା । ବାହାଘର ଘୁଞ୍ଚାଇବା ପାଇଁ ବର ଘର ଲୋକ ମଙ୍ଗୁ ନାହାଁନ୍ତି । ଚୋରି ହୋଇଯାଇଥିବା ଟଙ୍କା ଓ ଗହଣା ନମିଳିିଲେ ସବୁ ସରିଯିବ ଆଜ୍ଞା ।

ଜୟପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଥିବା ଜନଶୁଣାଣି ଶିବିରରେ ଦୁଃଖ ଜଣାଉଥିବା ଏହି ମଙ୍ଗୁଳା କନ୍ୟା ହେଉଛନ୍ତି ସରସ୍ୱତୀ ସିଂ । ଘର ଜୟପୁର ସହରରେ । ମେ ୫ ତାରିଖରେ ଯୁବତୀଙ୍କ ବାହାଘର । ବିବାହ ପାଇଁ ଶୁଭ ପଡି ସାରିଛି । ଝିଅ ଏବେ ମଙ୍ଗୁଳା କନ୍ୟା । ହେଲେ ବାହାଘର ଆଗରୁ ତାଙ୍କ ଘରୁ ଚୋରି ହୋଇଯାଇଛି ୩ ଲକ୍ଷ ନଗଦ ଟଙ୍କା ଓ ସୁନାଗହଣା । ଗତ ୧୬ ତାରିଖରେ ଘରେ କଳାକନା ବୁଲାଇ ଦେଇଛନ୍ତି ଚୋର । ସବୁ କିଛି ଚୋରି ହୋଇଯିବା ପରେ ବାହାଘର କେମିତି ହେବ ଚିନ୍ତାରେ ପଡ଼ିଛନ୍ତି ବାପା ଛେଉଣ୍ଡ ଝିଅ । ସରସ୍ୱତୀଙ୍କ ବାପା-ଭାଇ କେହି ନାହାଁନ୍ତି । ଏଭଳି ସ୍ଥିତିରେ ନିଜେ ଲଢୁଛନ୍ତି ନିଜ ଲଢ଼େଇ ।

ହେଲେ ସରସ୍ୱତୀଙ୍କ ଦୁଃଖ ଶୁଣିବା ବେଳେ ପୁଲିସ୍ କେତେ ସମ୍ବେଦନଶୀଳ, ସାମ୍ନାକୁ ଆସିଥିବା ଏହି ଚିତ୍ର ହିଁ ବୟାନ କରୁଛନ୍ତି । ଚୋରି ସମ୍ପର୍କିତ ସବୁ ତଥ୍ୟ ଦେବା ପରେ ବି ସରସ୍ୱତୀଙ୍କୁ ମିଳିଛି କେବଳ ପ୍ରତିଶ୍ରୁତି । ତେବେ ପୁଲିସ ଓ ପ୍ରଶାସନର ଗୋଟିଏ ଉଦ୍ୟମ, ହୁଏତ ଏହି ମଙ୍ଗୁଳା କନ୍ୟାର ସପ୍ନ ଉଜୁଡିବା ପୂର୍ବରୁ ଘର ବସାଇ ପାରିବ । ଦେଖିବାର କଥା ପ୍ରଶାସନ, ଜନତାଙ୍କ ଦୁଃଖକୁ କେତେ ଗୁରୁତ୍ୱର ସହ ନେଉଛି ।