ଦୁନିଆ ଜାଣିବ କାଶ୍ମୀରର ସତ : ଜାମ୍ମୁ-କାଶ୍ମୀରରେ ୟୁରୋପୀୟ ସଂଘର ପ୍ରତିନିଧି ଦଳ, ବିଦେଶୀ ପ୍ରତିନିଧିଙ୍କ ଗସ୍ତକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

725

କନକ ବ୍ୟୁରୋ : ଦୁନିଆ ଜାଣିବ କାଶ୍ମୀରର ସତ । ଆଜି କାଶ୍ମୀର ଗସ୍ତ କରି ଶ୍ରୀନଗରରେ ପହଂଚିଛନ୍ତି ୟୁରୋପୀୟ ସଂଘର ସାଂସଦ । ଅଗଷ୍ଟ ୫ତାରିଖରେ ଘାଟିରୁ ଧାରା ୩୭୦ ହଟିବା ହେବା ପରେ ପ୍ରଥମ ବିଦେଶୀ ପ୍ରତିନିଧି ମଣ୍ଡଳ ଭାବେ ଏହି ଦଳ ଘାଟିକୁ ଯାଇଛନ୍ତି । ଜାମ୍ମୁକାଶ୍ମୀରକୁ ଏହା ୟୁରୋପୀୟ ସଂଘ ସାଂସଦଙ୍କ ଅନୌପଚାରିକ ଗସ୍ତ ବୋଲି ଜଣାପଡିଛି ।

ଭାରତ ଗସ୍ତରେ ଥିବା ୨୮ ସଦସ୍ୟ ବିଶିଷ୍ଟ ୟୁରୋପିୟ ସଂଘର ପ୍ରତିନିଧି ମଣ୍ଡଳ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଏନଏସଏ ଅଜିତ ଡୋଭାଲଙ୍କୁ ଭେଟି ଜାମ୍ମୁକାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିଥିଲେ । ଗସ୍ତ ସମୟରେ ୟୁରୋପୀୟ ସଂଘ ସାଂସଦ, ଜାମ୍ମୁକାଶ୍ମୀରର ପ୍ରଶାସନିକ ଅଧିକାରୀଙ୍କୁ ଭେଟିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ । ବିଦେଶୀ ପ୍ରତିନିଧି ଦଳର ଗସ୍ତକୁ କଂଗ୍ରେସ ସମେତ ବିଭିନ୍ନ ଦଳ ବିରୋଧ କରିସାରିଛନ୍ତି ।

ଦଳ କହିସାରିଛି, ସରକାର ଦେଶର ପ୍ରତିନିଧିଙ୍କୁ ଘାଟିକୁ ଯିବାକୁ ଅନୁମତି ନ ଦେଇ ବିଦେଶରୁ ଆସିଥିବା ପ୍ରତିନିଧିଙ୍କୁ ଘାଟିକୁ ଯିବାକୁ ଅନୁମତି ଦେଇଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧି ଏହି ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । ଏପରିକି ଏହି ପ୍ରସଙ୍ଗରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ନିଜ ଦଳକୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି, ଏହି ପ୍ରସଙ୍ଗ ସଂସଦ ଅଧିବେଶନରେ ଉଠିବ ।