ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତାବିଡା । ଇନ୍ଧନ ଗ୍ୟାସ ପରେ ଏବେ ମହଙ୍ଗା ହେବାକୁ ଯାଉଛି ଏସବୁ ଔଷଧର ଦାମ

192

କନକ ବ୍ୟୁରୋ : ମହଙ୍ଗା ମାଡରେ ସାଧାରଣ ଲୋକ ଅସ୍ତବ୍ୟସ୍ତ ହୋଇପଡିଲେଣି । ସେ ଖାଦ୍ୟ ସାମଗ୍ରୀ ହେଉ କି, ଇନ୍ଧନ ଗ୍ୟାସ କିମ୍ବା ପେଟ୍ରୋଲ ଡିଜେଲର ଦାମ । ଏସବୁର ଦାମ ଅଚାନକ ଭାବେ ବୃଦ୍ଧି ପାଇବା ଫଳରେ ସାଧାରଣ ଲୋକ ଅଣ୍ଟାସଳଖୀ ଠିଆ ହେବାର କ୍ଷମତା ହରାଇ ବସିଲେଣି । ଏହାରି ମଧ୍ୟରେ ଏବେ ସରକାରଙ୍କର ଏକ ନିଷ୍ପତ୍ତି ପୁଣି ଲୋକଙ୍କ ଉପରେ ବୋଝ ହେବାକୁ ଯାଉଛି । ଏପ୍ରିଲ ପହିଲାରୁ ପେନ୍ କିଲର , ଆଣ୍ଟିବାୟୋଟିକ ସମେତ ଏସବୁ ଔଷଧର ଦାମ ବଢିବାକୁ ଯାଉଛି । ସରକାରଙ୍କ ତରଫରୁ ବାର୍ଷିକ ହୋଲସେଲ ପ୍ରାଇସ୍ ଇଣ୍ଡେକ୍ସର ପରିବର୍ତ୍ତନ ହେବାକୁ ଯାଉଛି । ଫଳରେ ଔଷଧ ନିର୍ମାତା କମ୍ପାନୀମାନଙ୍କ ଔଷଧର ଦାମ ବୃଦ୍ଧି କରିବା ଦାବି ଉପରେ ସରକାର ତୁରନ୍ତ ଅନୁମତି ଦେବାକୁ ଯାଉଛନ୍ତି ।

ଏନେଇ ଔଷଧ ମୂଲ୍ୟ ନିୟାମକ ଅର୍ଥାତ ନ୍ୟାସନାଲ ଫାର୍ମସ୍ୟୁଟିକାଲ ଫ୍ରାଇସିଙ୍ଗ ଅଥରେଟି ସୋମବାର ଦିନ କହିଛନ୍ତି କି, ସରକାରଙ୍କ ଦ୍ୱାରା ଅଧିସୂଚିତ ବାର୍ଷିକ ହୋଲସେଲ ପ୍ରାଇସ ଇଣ୍ଡେକ୍ସର ବାର୍ଷିକ ପରିବର୍ତ୍ତନ ୨୦୨୨ ଆଧାରରେ ଔଷଧର ଦାମ ୧୨.୧୨ ପ୍ରତିଶତ ବୃଦ୍ଧି ପାଇପାରେ । ସୂଚନା ଥାଉକି ଔଷଧ ନିର୍ମାତା କମ୍ପାନୀମାନେ ଅନେକ ଦିନ ତଳୁ ଔଷଧର ଦାମ ବୃଦ୍ଧି କରିବାକୁ ଦାବି କରିଆସୁଛନ୍ତି ।

ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ପେନକିଲର୍ସ, ଆଣ୍ଟି-ଇଫେକଟିଭ୍, ଆଣ୍ଟିବାୟୋଟିକ୍ସ ଓ ହୃଦରୋଗ ପାଇଁ ବ୍ୟବହାର ହେଉଥିବା ଔଷଧ ସମେତ ମୋଟ ୯୦୦ ପ୍ରକାର ଔଷଓର ଦାମ ୧୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇବାକୁ ଯାଉଛି ।