ସପିଂ ମଲରେ ମହିଳା ସମ୍ବାଦିକଙ୍କୁ ମାଡ଼ ଘଟଣା । ଗିରଫ ହେଲେ ଏସପ୍ଲାନେଡ୍ ମାର୍କେଟିଂ ଅଧିକାରୀ ଶ୍ୟାମା ଝା ।

533

କନକ ବ୍ୟୁରୋ : ଭୁବନେଶ୍ୱର ଏସପ୍ଲାନେଡ୍ ମଲରେ ମହିଳା ସାମ୍ବାଦିକଙ୍କୁ ମାଡ ଘଟଣାକୁ ନେଇ ଆଜି ଦିନତମାମ ମଲ୍ ଆଗରେ ଶତାଧିକ ସାମ୍ବାଦିକ ଧାରଣା ଦେବା ପରେ ଶେଷରେ ମଲର ମାର୍କେଟିଂ ଅଧିକାରୀ ଶ୍ୟାମା ଝାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏନେଇ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । କମିଶନର କହିଛନ୍ତି, ତଦନ୍ତ ଜାରି ରହିଛି । ଘଟଣାରେ ଯାହାର ବି ସମ୍ପୃକ୍ତି ରହିଥିବ, ସେମାନଙ୍କୁ ଗିରଫ କରାଯିବ ।

ମହିଳା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଆଜି ଜୋରଦାର ହୋଇଥିଲା ପ୍ରତିବାଦ । ଆଜି ଏସପ୍ଲାନେଡ୍ ମଲ୍ ସାମ୍ନାରେ ଶତାଧିକ ସାମ୍ବାଦିକ ରୁଣ୍ଡ ହୋଇ ଘଟଣାରେ ସଂପୃକ୍ତ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ପ୍ରତିଧିନିଙ୍କ ସହ ସାମାଜିକ କର୍ମୀ, ରାଜନୈତିକ ଦଳର ନେତା, କଲେଜ ଓ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ପ୍ରତିବାଦରେ ସାମିଲ ହୋଇଥିଲେ । ସାମୁହିକ ଭାବରେ ଏମାନେ, ସାମ୍ବାଦିକ ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରିବାକୁ ମଧ୍ୟ ଦାବି କରିଛନ୍ତି ।