ବିବାଦ ଭିତରେ ବଢିଲା ଟ୍ୱିଟର ଓ ଟେସଲା ମାଲିକଙ୍କ ସମ୍ପତି : ପୁଣି ଥରେ ବିଶ୍ୱର ନମ୍ବର ୱାନ ଧନୀ ବ୍ୟକ୍ତି ହେଲେ ଏଲନ ମସ୍କ; ୩୮କୁ ଖସିଲେ ଗୌତମ ଆଦାନି

98

କନକ ବ୍ୟୁରୋ : ପୁଣି ବିଶ୍ୱର ନମ୍ବର ୱାନ ଧନୀ ହେଲେ ଟୁଇଟର ମାଲିକ ଏଲନ ମସ୍କ । ଗତବର୍ଷ ଆର୍ଥିକ କ୍ଷତି ଯୋଗୁଁ ବିଶ୍ୱ ଧନୀ ତାଲିକାରୁ ସେ ଦୁଇ ନମ୍ବର ସ୍ଥାନକୁ ଖସି ଆସିଥିଲେ । ଏବେ ପୁଣି ସେ ନମ୍ବର ୱାନ ଧନୀ ତାଲିକାରେ ନିଜ ସ୍ଥାନକୁ ପକ୍କା କରିଛନ୍ତି । ଫ୍ରାନ୍ସର ବର୍ଣ୍ଣାର୍ଡ ଆର୍ନଲ୍ଟଙ୍କୁ ପଛରେ ପକାଇ ବିଶ୍ୱର ଏକ ନମ୍ବର ଧନୀ ତାଲିକାରେ ରହିଛନ୍ତି । ଗତବର୍ଷ ଡିସେମ୍ବରରେ ବର୍ନାଡ ମସ୍କକୁ ଅତିକ୍ରମ କରି ଏକ ନମ୍ବର ସ୍ଥାନରେ ରହିଥିଲେ । ଏବେ ୨ ମାସ ଭିତରେ ପୁଣିଥରେ ନିଜ ସ୍ଥାନକୁ ଫେରି ପାରିଛନ୍ତି ମସ୍କ । ଏଲନ ମସ୍କଙ୍କ ସମ୍ପତିର ମୂଲ୍ୟ ଏବେ ୧୮୭ ବିଲିୟନ ଡଲାରରେ ପହଞ୍ଚିଥିବା ବେଳେ ବର୍ନାଡଙ୍କ ସମ୍ପତି ରହିଛି ୧୮୫ ବିଲିୟନ ଡଲାର ।

ଏହି ସମୟରେ ଭାରତୀୟ ଧନୀ ଗୌତମ ଆଦାନିଙ୍କ ସ୍ଥିତିରେ ଅବନତି ଜାରି ରହିଛି । ଧନୀ ତାଲିକାର ୩୮କୁ ଖସିଛନ୍ତି ଗୌତମ ଆଦାନି । ଜାନୁଆରି ୨୪ରେ ଆଦାନିଙ୍କ ସମ୍ପତ୍ତି ପରିମାଣ ୧୧,୯୦୦ କୋଟି ଡଲାର ଥିଲା । ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରକାଶ ପାଇବାର ଏକ ମାସ ବିତିଯାଇଥି‌ବା ବେଳେ ସେ ପ୍ରାୟ ୮୫୦୦ କୋଟି ଡଲାରର ସମ୍ପତ୍ତି ହରାଇସାରିଛନ୍ତି । ତାଙ୍କ ପାଖରେ ଏବେ ୩୩୪୦ କୋଟି ଡଲାର ସମ୍ପତ୍ତି ରହିଛି । ‌ତାଙ୍କ ଅଧିକାଂଶ ସମ୍ପତ୍ତି ବିଭିନ୍ନ କଂପାନିର ସେୟାର ମୂଲ୍ୟ ଉପରେ ନିର୍ଭର କରୁଛି। ଯେହେତୁ ଆଦାନି ଗ୍ରୁପ୍‌ ଅଧୀନରେ ଥିବା କଂପାନିଗୁଡ଼ିକର ସେୟାର ମୂଲ୍ୟ ଖସୁଛି, ସେଥିପାଇଁ ତାଙ୍କ ସମ୍ପତ୍ତି ହ୍ରାସ ପାଉଛି ।