ଆସନ୍ତାକାଲି ଆସୁଛି ୫ ରାଜ୍ୟର ନିର୍ବାଚନ ଫଳ । କେଉଁ ରାଜ୍ୟରେ କିଏ ମାରିବ ବାଜି?

166

କନକ ବ୍ୟୁରୋ: କିଛି ଘଣ୍ଟା ପରେ ପ୍ରକାଶ ପାଇବାକୁ ଯାଉଛି ୫ଟି ରାଜ୍ୟର ନିର୍ବାଚନୀ ଫଳାଫଳ । କିନ୍ତୁ ବୁଥ୍ ବାହୁଡା ମତ ଆଧାରରେ ବିଜୟକୁ ନେଇ ସ୍ପଷ୍ଟ ମତ ରଖୁଛନ୍ତି ନେତା । ବୁଥ ବାହୁଡା ମତାମତକୁ ନେଇ ପଞ୍ଜାବରେ ଆପ ଦଳ ବାଜି ମାରିବ ବୋଲି ଦାବି କରୁଛନ୍ତି ଆପ୍ ନେତା । ସେପଟେ ମଣିପୁର, ଉତ୍ତରାଖଣ୍ଡ ଓ ଗୋଆକୁ ନେଇ ମଧ୍ୟ ଜାରି ରହିଛି ବୟାନ ବାଜି ।

ଗୁରୁବାର ଆସିବ ନିର୍ବାଚନ ଫଳାଫଳ । ପଞ୍ଜାବରେ କେଉ ଦଳ ଗଢିବ ସରକାର ତାହାକୁ ନେଇ ଆରମ୍ଭ ହୋଇ ଯାଇଛି କଲ୍ପନା ଜଳ୍ପନା । ବୁଥ୍ ବାହୁଡା ମତ ଅନୁସାରେ ପଞ୍ଜାବରେ ବହୁମତ ସହ ସରକାର ଗଢି ପାରେ ଆମ ଆଦମୀ ପାର୍ଟି । କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ପାଇଁ ଭୋଟର ଦଳ ଉପରୁ ଭରସା ତୁଟାଇ ସାରିଥିବା କହୁଛନ୍ତି ବିରୋଧୀ । ଆଉ ଏଥର କଂଗ୍ରେସର ଶୋଚନୀୟ ପରାଜୟ ହେବ ଆପ ନେତା କହୁଛନ୍ତି । ସେପଟେ ଗୋଆର ମଧ୍ୟ ଫଳାଫଳକୁ ନେଇ ବେଶ ଆଶାବାଦୀ ଅଛନ୍ତି ବିଭିନ୍ନ ରାଜନୈତିକ ଦଳ ।

ସେପଟେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ନିଜ ରାଜ୍ୟବାସୀଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି କି ନାହିଁ ତାହା ବୟାନ କରିବ ନିର୍ବାଚନୀ ଫଳାଫଳ । ଗତ ୬ ମାସ ଧରି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ରହିଥିବା ଧାମୀ କଣ ପୁଣିଥରେ ନିଜ ଆସନ ବଜାୟ ରଖିପାରିବେ, ନା କଂଗ୍ରେସ ଏଠି ପୁଣି ସରକାର ଗଢିବ ତାହା ସ୍ପଷ୍ଟ କରିବ ଫଳାଫଳ । ହେଲେ ଏଗଜିଟ୍ ପୋଲ ମତ କହୁଛି ବିଜେପି ବହୁମତ ସହ ବିଜୟ ହାସଲ କରିବ । ହେଲେ ବିରୋଧୀ କଂଗ୍ରେସ ଦାବି କରିଛି ଯେ, ଏଗଜିଟ୍ ପୋଲ ଭୁଲ ପ୍ରମାଣିତ ହେବ ।

ଗୁରୁବାର ପ୍ରକାଶ ପାଇବ ନିର୍ବାଚନୀ ଫଳାଫଳ । ଉତ୍ତରପ୍ରଦେଶ ସମେତ ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁର ବିଧାନସଭା ନିର୍ବାଚନର ଫଳାଫଳ ଉପରେ ରହିଛି ସଭିଁଙ୍କ ନଜର । କାରଣ ଏହି ୫ଟି ରାଜ୍ୟର ଫଳାଫଳ ସ୍ପଷ୍ଟ କରିବ ଆସନ୍ତା ସାଧାରଣ ନିର୍ବାଚନରେ କେଉଁ ଦଳର ପ୍ରଭାବ ଅଧିକ ରହିବ ।