ରାଷ୍ଟ୍ରପତି ପୁଟିନଙ୍କୁ ବଡ ଝଟକା । ରୁଷିଆ ବିରୋଧରେ ଆମେରିକାର ସବୁଠାରୁ ବଡ କଟକଣା

435

କନକ ବ୍ୟୁରୋ: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ୧୪ ଦିନ ହୋଇ ସାରିଲାଣି । ଆଉ ରୁଷିଆର ଏଭଳି ଆଚରଣ ପାଇଁ ଅନେକ କଟକଣାକୁ ସାମ୍ନା କରିବାକୁ ପଡିଛି ରାଷ୍ଟ୍ରପତି ପୁଟିନଙ୍କୁ । ଏହି ଭିତରେ ଆମେରିକା ରୁଷିଆ ବିରୋଧରେ ସବୁଠାରୁ ବଡ କଟକଣା ଲଗାଇଛି । ଆମେରିକାରୁ ଆମଦାନୀ ହେଉଥିବା ସମସ୍ତ ପ୍ରକାର ତୈଳ ଓ ଗ୍ୟାସ ଉପରେ କଟକଣା ଲଗାଇଛନ୍ତି ରାଷ୍ଟ୍ରପତି ବାଇଡେନ୍ । ଯାହା ପରେ ରୁଷିଆର ଆର୍ଥିକ ସ୍ଥିତି ଆହୁରି ଦୁର୍ବଳ ହୋଇଯିବ ବୋଲି ଆକଳନ କରାଯାଉଛି ।

ରୁଷିଆ ବିରୋଧରେ ଆମେରିକାର ସବୁଠାରୁ ବଡ଼ କଟକଣା । ଦୀର୍ଘ ୧୪ ଦିନ ହେବ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଥିବାବେଳେ, ଏହାକୁ ନେଇ ପାଶ୍ଚାତ୍ୟ ଦେଶ ରୁଷ ବିରୋଧରେ ବିଭିନ୍ନ ପ୍ରକାର କଟକଣା ଲଗାଉଛନ୍ତି । ଆଉ ବୁଧବାର ଆମେରିକା ସବୁଠାରୁ ବଡ କଟକଣା ରୁଷ ଉପରେ ଲଗାଇଛି । ରୁଷିଆରୁ ଆମଦାନୀ ହେଉଥିବା ସମସ୍ତ ପ୍ରକାର ତୈଳ ଓ ଗ୍ୟାସ୍ ଉପରେ କଟକଣା ଲଗାଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ଅନ୍ତର୍ଜାତୀୟ ବଜାରରେ ରୁଷିଆକୁ ଏକଘରିକିଆ କରିବା ସତ୍ତେ୍ୱ ନିଜ ଆଭିମୁଖ୍ୟ ବଦଳାଉ ନାହାଁନ୍ତି ରାଷ୍ଟ୍ରପତି ପୁଟିନ୍ । ଫଳରେ ଏଭଳି କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ।

ନିଜ ଦେଶବାସୀଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି ରୁଷିଆ ଠାରୁ ତୈଳ ଗ୍ୟାସ ଓ କୋଇଲା ଆମଦାନୀ କରିବ ନାହିଁ ଆମେରିକା । ଆଉ ଏଭଳି ନିଷ୍ପତ୍ତି ନେଇ ରୁଷିଆକୁ ବଡ ଆର୍ଥିକ ସଂକଟ ଭିତରେ ଛନ୍ଦି ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।

ୟୁକ୍ରେନ – ରୁଷିଆ ଯୁଦ୍ଧକୁ ୧୪ ଦିନ ହୋଇସାରିଲାଣି । ଆଉ ୟୁକ୍ରେନରେ ନିଜ ଆକ୍ରମଣକୁ ଆହୁରି ଭୟଙ୍କର କରିଛି ରୁଷ । ୟୁକ୍ରେନ ଉପରେ ୫ଶହ କିଲୋଗ୍ରାମର ବମ୍ ମଧ୍ୟ ପ୍ରୟୋଗ କରିବାକୁ ପଛାଇ ନାହିଁ ପୁଟିନ୍ ବାହିନୀ । ଆଉ ଏଥିରେ ଅନେକ ସାଧାରଣ ଲୋକଙ୍କ ଜୀବନ ହାନି ହୋଇଛି । ଆମେରିକା ପ୍ରତ୍ୟକ୍ଷ ଭାବେ ୟୁକ୍ରେନକୁ ସେନା ସହାୟତା କରିବାକୁ ମନା କରିଦେଇଛି । ହେଲେ ସେପଟେ ରୁଷିଆ ବିରୋଧରେ କଟକଣା ଉପରେ କଟକଣା ଲଗାଇ ଚାଲିଛନ୍ତି ପାଶ୍ଚାତ୍ୟ ଦେଶ । ପୂର୍ବରୁ ତୈଳ ସପ୍ଲାଏ ଉପରେ କଟକଣା ନଲଗାଇବାକୁ ରାଷ୍ଟ୍ରପତି ପୁଟିନ ପାଶ୍ଚାତ୍ୟ ଦେଶକୁ ଦେଇଥିଲେ ଚେତାବନୀ ।

ରାଷ୍ଟ୍ରପତି ପୁଟିନ୍ କହିଥିଲେ, ଯଦି ତେଲ ଆମଦାନୀ ଉପରେ ପାଶ୍ଚାତ୍ୟ ଦେଶ କଟକଣା ଲଗାନ୍ତି ତାହାଲେ, ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୩ଶହ ଡଲାର କରାଯିବ । ହେଲେ ରୁଷିଆର ଏହି ଧମକକୁ ଖାତିର କରି ନାହାଁନ୍ତି ବାଇଡେନ୍ । ଆମେରିକା ପରେ ଯଦି ସମସ୍ତ ପାଶ୍ଚାତ୍ୟ ଦେଶ ରୁଷ ଉପରେ ଏହି କଟକଣା ଲଗାଏ, ତାହାଲେ ରୁଷିଆରେ ଭୟଙ୍କର ଆର୍ଥିକ ସଂକଟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପୂର୍ବରୁ ଆମେରିକା ବ୍ୟତୀତ ସୁଇଜରଲ୍ୟାଣ୍ଡ, ଫ୍ରାନ୍ସ, କାନାଡା, ଅଷ୍ଟ୍ରେଲିଆ, ୟୁରୋପୀୟ ସଂଘ ପ୍ରତିବନ୍ଧକ ଲଗାଇ ସାରିଛନ୍ତି ।