ସ୍କୁଲସାରି ଅଟୋରେ ଫେରୁଥିଲେ ଛାତ୍ର । ରାସ୍ତାରେ ମାଡିଗଲା ଟ୍ରକ, ୮ ଛାତ୍ରଙ୍କ ମୃତ୍ୟୁ

126

କନକ ବ୍ୟୁରୋ : ସ୍କୁଲ ଛୁଟି ହୋଇସାରିଥିଲା । ପିଲାମାନେ ଖୁସିମନରେ ଅଟୋରେ ଘରକୁ ଫେରୁଥିଲେ । ହେଲେ କିଏ ଜାଣିଥିଲା ସେମାନେ ଆଉ ଘରେ ପହଂଚିପାରିବେ ନାହିଁ । ମଝି ରାସ୍ତରେ ଅଟୋ ଉପରେ ଟ୍ରକ ମାଡି ଯିବାରୁ ୮ଜଣ ପିଲାଙ୍କର ମୃତ୍ୟୁ ହୋଇଛି ।

ଏଭଳି ଖବର ଆସିଛି ଛତିଶଗଡରୁ । ରାଜ୍ୟର କାଙ୍କେର ଠାରେ ଗୁରୁବାର ଦିନ ସଡକ ଦୁର୍ଘଟଣାରେ ୮ଜଣଙ୍କର ମୃତ୍ୟୁ ହୋଇଛି । ସ୍କୁଲ ଛୁଟିପରେ ପିଲାମାନେ ଅଟୋରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ଅଟୋଟିକୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ୪ଜଣ ପିଲାଙ୍କର ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଅନ୍ୟ ୪ଜଣ ପିଲାଙ୍କର ମୃତ୍ୟୁ ହୋଇଛି । ଏ ସମସ୍ତ ପିଲା ବିଏସଏନଏନ ଡିଜିଟାଲ ପବ୍ଲିକ ସ୍କୁଲର ଛାତ୍ର । ସେମାନେ ସମସ୍ତେ ପ୍ରାଥମିକ କ୍ଲାସରେ ପଢୁଥିବା କଥା ସୂଚନା ମିଳିଛି ।

ସେପଟେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଟ୍ରକର ବେଗ ଏତେ ଦୃତ ଥିଲା କି, ଦୁର୍ଘଟଣା ପରେ ଟ୍ରକଟି ରାସ୍ତା କଡରେ ଥିବା ଏକ ଆମ୍ବଗଛକୁ ଉପାଡି ୫୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା   । ସ୍ଥାନୀୟ ଲୋକମାନେ ଟ୍ରକ୍ ଚାଳକକୁ ଅଟକାଇ ପୋଲିସକୁ ହସ୍ତାନ୍ତର କରିଛନ୍ତି । ପୋଲିସ କହିଛି କି ପିଲାମାନଙ୍କର ଶବ ବ୍ୟବଛେଦ ହେବା ପରେ ସେମାନଙ୍କ ଅବିଭାବକମାନଙ୍କ ଦିଆଯିବ ।

ଅନ୍ୟପଟେ ଏଭଳି ଘଟଣାର ସୂଚନା ପାଇବା ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଦୁଖ ପ୍ରକାଶ କରିଛନ୍ତି । ସେ ମୃତ ଛାତ୍ରମାନଙ୍କ ପରିବାର ପ୍ରତି ସମ୍ବେଦନ ଜଣାଇବା ସହ ମାମଲାର ଯାଂଚ ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।