ନବରଙ୍ଗପୁର ବେଲଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର । ଶ୍ରେଣୀଗୃହ ଅଭାବରୁ ବିଦ୍ୟାଳୟ ବାହାରେ ଗଛମୂଳେ ଚାଲିଛି ଶିକ୍ଷାଦାନ । 

57

କନକ ବ୍ୟୁରୋ: ଉପାନ୍ତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ନବରଙ୍ଗପୁର ଝରିଗାଁ ବ୍ଲକ ଅନ୍ତର୍ଗତ ବେଲଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବରୁ ଗଛମୂଳେ ପାଠ ପଢୁଛନ୍ତି କୁନି କୁନି ପିଲା । ବର୍ଷ ବର୍ଷ ଧରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ । ଏତିକିରେ ଥମିନି ଛାତ୍ରାଛାତ୍ରୀଙ୍କ ଦୁର୍ଦ୍ଦଶା । ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ନା ଅଛି ପାନୀୟ ଜଳର ବ୍ୟବସ୍ଥା, ନା ଅଛି ରୋଷେଇ ପାଇଁ ରୋଷେଇ ଗୃହ ।

ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ୮୯ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଗୋଟିଏ ମାତ୍ର ଶ୍ରେଣୀଗୃହ ରହିଛି । ସେହିଘରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପିଲା ପାଠ ପଢୁଥିବା ବେଳେ ପ୍ରଥମରୁ ତୃତୀୟ ଶ୍ରେଣୀ ପିଲାମାନେ ଶ୍ରେଣୀ ଗୃହ ନଥିବାରୁ ଖୋଲା ଆକାଶ ତଳେ ପାଠ ପଢୁଛନ୍ତି । ଖରା, ବର୍ଷା, ଶୀତ ଓ କାକରରେ ଏଭଳି ଦୟନୀୟ ଅବସ୍ଥାରେ ପିଲାମାନଙ୍କୁ ଶିକ୍ଷାଦାନ କରୁଛନ୍ତି ଶିକ୍ଷକ । ଅନ୍ୟପଟେ ବିଦ୍ୟାଳୟରେ ମାତ୍ର ୨ଜଣ ଶିକ୍ଷକ ଥିବା ବେଳେ ଠିକ୍ ଭାବେ ଶିକ୍ଷାଦାନ ହୋଇପାରୁନାହିଁ । ତେବେ ବିଦ୍ୟାଳୟର ସମସ୍ୟା ଏବଂ ନୂତନ ବିଦ୍ୟାଳୟ ନିର୍ମାଣ ପାଇଁ ବାରମ୍ବାର ଗ୍ରାମବାସୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସ୍ଥାନୀୟ ବିଧାୟକ, ସାଂସଦ ଏବଂ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିି ପାରୁନଥିବା ବେଳେ କେବଳ ପ୍ରତିଶ୍ରୁତି ଦେଉଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ  । ଏ ସମ୍ପର୍କରେ ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ବିଡିଓଙ୍କୁ ପଚାରିବାରୁ ସେ କିଛି କହିବାକୁ ମନା କରିଦେଇଛନ୍ତି ।