ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ହିମାଚଳରେ ସରଗରମ କଂଗ୍ରେସ ରାଜନୀତି, ଚୟନକର୍ତ୍ତାଙ୍କ ଗାଡି ଅଟକାଇଲେ ପ୍ରତିଭାଙ୍କ ସମର୍ଥକ

173

କନକ ବ୍ୟୁରୋ : ହିମାଚଳ ପ୍ରଦେଶରେ କଂଗ୍ରେସକୁ ନିର୍ବାଚନ ଜିତିବା ଯେତେ କଷ୍ଟ ହୋଇନଥିଲା ଏବେ ମୁଖ୍ୟମନ୍ତ୍ରୀ ଚୟନ କରିବା ତା ଠାରୁ ଅଧିକ କଷ୍ଟ ହୋଇପଡିଛି । ରାଜ୍ୟରେ ଦଳର ନେତାଙ୍କ ମଧ୍ୟରୁ କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯିବ ସେନେଇ ଦଳର ବରିଷ୍ଠ ନେତାମାନେ ଶୁକ୍ରବାର ଦିନ ଏକ ବୈଠକ ଡାକିଥିଲେ । ଏହି ବୈଠକରେ ଦଳର କେନ୍ଦ୍ରୀୟ ନେତାଙ୍କ ସହ ରାଜ୍ୟର ବରିଷ୍ଠ ନେତାମାନେ ଆଲୋଚନା କରିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ଏହି ବୈଠକ ବସିବା ପୂର୍ବରୁ ରାଜ୍ୟର ଦଳୀୟ କାର୍ଯ୍ୟକର୍ତ୍ତା ଓ ପ୍ରତିଭା ସିଂଙ୍କ ସମର୍ଥକମାନେ କଂଗ୍ରେସ ହାଇକମାଣ୍ଡଙ୍କ ତରଫରୁ ପଠାଯାଇଥିବା ନେତାମାନଙ୍କ ଗାଡିକୁ ଅଟକାଇଥିଲେ । ଏହି ଗାଡି ମଧ୍ୟରେ ଥିଲେ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ଗାଡି ଅଟକାଇଥିବା କର୍ମକର୍ତ୍ତାମାନେ ପ୍ରତିଭା ସିଂଙ୍କ ନାମରେ ମୋହର ମାରିବାକୁ ନାରା ଲଗାଇଥିଲେ ।

ସେପଟେ ପ୍ରତିଭା ସିଂ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି କି, ଦଳ ତାଙ୍କ ସ୍ୱାମୀଙ୍କ ନାମରେ ନିର୍ବାଚନ ଲଢି ବିଜୟୀ ହୋଇଛି । ତେଣୁ ଦଳ ତରଫରୁ ତାଙ୍କ ପରିବାର ପ୍ରତି ସହାନୁଭୂତି ରହିବ ବୋଲି ସେ ଆଶା କରିଛନ୍ତି । କହିରଖୁ କି, ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପେନ୍ଦ୍ରସିଂ ହୁଡ୍ଡାଙ୍କର ଗତବର୍ଷ ଦେହାନ୍ତ ହୋଇଥିଲା । ଏହାସହ ପ୍ରତିଭା ସିଂ ମୁ୍ଖ୍ୟମନ୍ତ୍ରୀ ଭାବେ ରାଜ୍ୟର ନେତୃତ୍ୱ ନେଇପାରିବେ ବୋଲି ସେହି ସାକ୍ଷାତକାରରେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।