ରାଜଗାଙ୍ଗପୁର ବ୍ଲକ ମାଲିଡିହିର ଡୁଡି ଗାଁରେ ଅଭାବନୀୟ ଦୃଶ୍ୟ। ବାପାର ଶବ ସହ ୬ ଘଣ୍ଟା ବସିରହିଲା ପୁଅ।

72

କନକ ବ୍ୟୁରୋ: ହଜିଗଲା ମାନବିକତା । ମୃତ ବାପା ନିକଟରେ ୬ ଘଣ୍ଟା ଧରି ଜଗିବସି ରହିଲା ୭ ବର୍ଷର ପୁଅ । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାଜଗାଙ୍ଗପୁର ବ୍ଲକ ମାଲିଡିହିର ଡୁଡି ଗ୍ରାମରେ । ଗାଁର ଅଙ୍ଗନୱାଡି କେନ୍ଦ୍ର ନିକଟରେ ରାଉରକେଲା ଟାଙ୍ଗରପାଲି ଅଞ୍ଚଳର ଠିଙ୍ଗୁରୁ ମାଝୀ ନିଜର ୭ ବର୍ଷର ପୁଅ ସହ ରହୁଥିଲେ । ହେଲେ ରବିବାର ତାଙ୍କର ଆକସ୍ମିତ ମୃତ୍ୟୁ ହୋଇଥିଲା । ପାଖରେ କେହିନଥିବାରୁ ବାପାର ମୃତଶରୀର ନିକଟରେ ନାବାଳକ ଜଣକ ଅଖିଆ ଅପିଆ ଜଗି ରହିଥିଲା । ଅଜଣା ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ମନରେ ସନ୍ଦେହ ଉପୁଜିବାରୁ କେହି ସହାୟତା ପାଇଁ ଆସିଲେ ନାହିଁ ।

ତେବେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ ସ୍ଥାନୀୟ ସରପଞ୍ଚ । ସରପଞ୍ଚ ତୁରନ୍ତ ସ୍ଥାନୀୟ ଥାନା ଅଧିକାରୀଙ୍କୁ ଜଣାଇବା ସହ ମୃତଦେହକୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଙ୍କୁ ପଠାଇଥିଲେ । ମୃତକଙ୍କ ପୁଅ ନାବାଳକକୁ ରାଜଗାଙ୍ଗପୁର ଥାନା ଅଧିକାରୀଙ୍କ ଜିମା ଦିଆଯାଇଛି । ଯାହା ପରେ ତାକୁ ରାଉରକେଲାର ସିଡବ୍ଲ୍ୟୁସି ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା । ମୃତକଙ୍କ ପରିଚୟ ପ୍ରଥମେ ମିଳିପାରିନଥିବା ବେଳେ ଶେଷରେ ପୋଲିସ ତଦନ୍ତ କରି ପରିଚୟ ପାଇଥିଲା । ପୋଷ୍ଟମର୍ଟମ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।