ଆଖି ବୁଜିଲା ଅସୁସ୍ଥ ଦନ୍ତାହାତୀ। ମୃତଦେହ ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ ମୃତ୍ୟୁର କାରଣ।

40

କନକ ବ୍ୟୁରୋ: ଆଖି ବୁଜିଲା ଅସୁସ୍ଥ ଦନ୍ତାହାତୀ । ବାରିପଦା ବନଖଣ୍ଡର ବେତନଟୀ ରେଞ୍ଜ ମଶିଣାକାଠି ଜଙ୍ଗଲରେ ଅସ୍ତ୍ରୋପଚାର କରାଯାଇଥିବା ଦନ୍ତାହାତୀର ମୃତ୍ୟୁ ହୋଇଛି । ଗତକାଲି ଗୋଡ଼ରେ ଏକ ପ୍ଲାଷ୍ଟିକ ଦଉଡି ଛନ୍ଦି ହେବାରୁ ହାତୀଟି ଭଲଭାବେ ଚାଲିପାରୁନଥିଲା । ହାତୀର ଚିକିତ୍ସା ପାଇଁ ଭୁବନେଶ୍ୱର ଓୟୁଏଟିରୁ ଏକ ଡାକ୍ତରୀ ଟିମ୍ ପହଞ୍ଚି ହାତୀର ସଫଳ ଅସ୍ତ୍ରୋପଚାର କରିଥିଲେ ।

ଅସ୍ତ୍ରୋପଚାର ସମୟରେ ଡିଏଫଓ ସନ୍ତୋଷ ଯୋଶୀ, ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଡେପୁଟି ଡାଇରେକ୍ଟର ଡ. ସମ୍ରାଟ ଗୌଡ଼ା, ଏସିଏଫ ରବିନାରାୟଣ ମହାନ୍ତି, ରେଞ୍ଜର ଘନଶ୍ୟାମ ସିଂ ଉପସ୍ଥିତ ଥିଲେ । ଅସ୍ତ୍ରୋପଚାର ପରେ ହାତୀଟି ସୁସ୍ଥ ଥିବା ବନବିଭାଗ ସୂଚନା ଦେଇଥିଲା । କିନ୍ତୁ ଆଜି ହାତୀର ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଛି । ହାତୀର ମୃତ୍ୟୁ କେମିତି ହେଲା, ତାହା ଜଣାପଡ଼ିନାହିଁ । ମୃତଦେହ ବ୍ୟବଚ୍ଛେଦ ହେବା ପରେ ମୃତ୍ୟୁର କାରଣ ପଡ଼ିବ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ ।