ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ପରେ ପୋଡ଼ି ଦିଆଯାଇଥିବା ଅଭିଯୋଗ। ଘଟଣାକୁ ଚପାଇ ଦେବାକୁ ଉଦ୍ୟମ

714

କନକ ବ୍ୟୁରୋ: ଜୁଲାଇ ୧୮ । ମାହାଙ୍ଗାର ଶୁଖୁଆପଡା ଗାଁ । ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରୀ ସ୍ୱର୍ଣ୍ଣଲତା ଦାସଙ୍କର ଅଚାନକ ମୃତ୍ୟୁ ହୋଇଯାଇଥିଲା । ଆଉ ମୃତ୍ୟୁ ପରେ ଏହି ଖବରକୁ ଚାପିଦେବା ପାଇଁ ଭରପୁର ଉଦ୍ୟମ କରିଥିଲେ ତାଙ୍କ ପରିବାର ଓ ସ୍ଥାନୀୟ ପୋଲିସ ପ୍ରଶାସନ । ଏମିତିକି ମୃତ ନାବାଳିକାଙ୍କ ପୋଷ୍ଟମର୍ଟମ ନକରାଇ ଶବକୁ ପୋଡିଦେଇଥିଲେ । ପ୍ରମାଣ ନଷ୍ଟ ପାଇଁ ପାଉଁଶକୁ ମଧ୍ୟ ନଦୀରେ ଫୋପାଡି ଘଟଣାକୁ ସବୁଦିନ ପାଇଁ ଚପାଇ ଦେବାକୁ ଉଦ୍ୟମ କରିଥିଲେ ।

ନାବାଳିକାଙ୍କ ମୃତ୍ୟୁ ପରେ ପ୍ରମାଣ ନଷ୍ଟ ପାଇଁ ଅତି ଯୋଜନାବନ୍ଧ ଭାବେ ଷଡଯନ୍ତ୍ର କରିଥିଲେ ପରିବାର ଓ ସମ୍ପର୍କୀୟ । ଆଉ ଏଥିରେ ସେମାନଙ୍କୁ ସହଯୋଗ କରିଥିଲା ସ୍ଥାନୀୟ ପୋଲିସ । ଏକଥା ଆମେ କହୁନୁ । ସୋସିଆଲ ମିଡିଆରେ ଭାଇରାଲ ହେଉଥିିବା ଏକ ଅଡିଓରୁ ଏହା ସ୍ପଷ୍ଟ ହେଉଛି । ଘଟଣାକୁ ଚାପି ଦେବା ପାଇଁ ସ୍ଥାନୀୟ ଆଇଆଇସି ଓ ଏସଡିପିଓ ଟଙ୍କା ଦାବି କରୁଥିବା ଅଡିଓରେ କହୁଛନ୍ତି ଜଣେ ବ୍ୟକ୍ତି ।

କୁହାଯାଉଛି, ଫୋନରେ ଟଙ୍କା ଦାବି କରୁଥିବା ବ୍ୟକ୍ତି ଜଣଙ୍କ ମାହାଙ୍ଗା ବ୍ଲକର ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ । ତାଙ୍କ କହିବା ଅନୁସାରେ ନାବାଳିକାଙ୍କ ଆତ୍ମହତ୍ୟା ପାଇଁ ସ୍କୁଲ ଶିକ୍ଷକ ଦାୟୀ । ଶିକ୍ଷକ ଜଣଙ୍କର ଛାତ୍ରୀଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା । ଏକଥା ଜାଣିବା ପରେ ଝିଅର ପରିବାର ଲୋକ ଗାଳି କରିଥିଲେ । ଆଉ ତାପରେ ଏମିତି କାଣ୍ଡ ଘଟିଛି । ତେଣୁ ଶିକ୍ଷକ ଜଣଙ୍କ ଆଇନ ଜାଲରେ ଫଶିବା ପୂର୍ବରୁ କିଛି ଟଙ୍କା ଦେଇ ମାମଲାକୁ ରଫା ଦଫା କରିଦିଅନ୍ତୁ । ଏଥିପାଇଁ ସେ ପୋଲିସ ସହ କଥାବାର୍ତା ହୋଇଥିବା ଶିକ୍ଷକଙ୍କ ମାଙ୍କୁ କହୁଛନ୍ତି ।

କେବଳ ଅଡିଓ ନୁହେଁ ଭାଇରାଲ ହେଉଛି ଏକ ହାତ ଲେଖା ଚିଠି । ଯେଉଁ ଚିଠିଟି ସ୍ୱର୍ଣ୍ଣଲତାଙ୍କ ଶେଷ ଚିଠି ବୋଲି କୁହାଯାଉଛି । ଏଥିରେ ସେ ତାଙ୍କ ପ୍ରେମ ସମ୍ପର୍କରେ କେମିତି ପରିବାର ଲୋକ ଜାଣିଯାଇଛନ୍ତି ତାହା ଉଲ୍ଲେଖ କରିଛନ୍ତି । ଏପରିକି ତାଙ୍କୁ ମାରିଦେଇପାରନ୍ତି ବୋଲି ମଧ୍ୟ ସେ ଆଶଙ୍କା କରିଛନ୍ତି । ତେବେ ଚିଠିଟିର ସତ୍ୟତା ଯାଞ୍ଚ ପରେ ସ୍ପଷ୍ଟ ହେବ । କିନ୍ତୁ ତାଙ୍କ ଝିଅର ବାତ ରୋଗ ଥିଲା, ଆଉ ସେଥିପାଇଁ ମୃତ୍ୟୁ ହୋଇଛି ବୋଲି କହିଛନ୍ତି ମୃତକଙ୍କ ବାପା । ଅନ୍ୟପଟେ ଏହି ମାମଲାକୁ ନେଇ ତେଜିଛି ରାଜନୀତି । ବିଜେପି ପ୍ରତିନିଧି ଦଳ ଡିଜିପିଙ୍କୁ ଭେଟି ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।

ପ୍ରଶ୍ନ ଉଠୁଛି, ନିୟମ ଅନୁସାରେ ନାବାଳିକାଙ୍କ ମୃତ୍ୟୁ ପରେ ପୋଷ୍ଟମର୍ଟମ ହୋଇନଥିଲା କାହିଁକି?

ସ୍ଥାନୀୟ ପୋଲିସ ବିନା ପୋଷ୍ଟମର୍ଟମରେ ପୋଡିବାକୁ ଅନୁମତି ଦେଲା କେମିତି?
ଭାଇରାଲ ଅଡିଓର ସତ କଣ?
ସମ୍ପୃକ୍ତ ବ୍ୟକ୍ତି ଓ ପୋଲିସଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ କି? ଏସବୁର ତଦନ୍ତ ହେବାର ଆବଶ୍ୟକତା ରହିଛି ।