ଆଜିଠୁ ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ଉଚ୍ଛେଦ ଅଭିଯାନ: ଭଙ୍ଗାହେବ ଲଙ୍ଗୁଳି ମଠ, ଏମାର ମଠ ଓ ଦୋକାନ ଘର, ସ୍ଥାନାନ୍ତର ହେବ ସିଂହଦ୍ବାର ଥାନା, ରଘୁନନ୍ଦନ ପାଠାଗାର
କନକ ବ୍ୟୁରୋ: ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ ଘୋଷଣାକୁ କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ। ଏ ନେଇ ପ୍ରଶାସନ ଗତକାଲି ଚତୁଃପାର୍ଶ୍ବରେ ଥିବା ଦୋକାନ ଘରଗୁଡ଼ିକୁ ଆଜି ଦିନ ଗୋଟାଏ ସୁଦ୍ଧା ଖାଲି କରିବାକୁ ଅଲିଖିତ ନୋଟିସ୍ ଜାରି କରିଛି। ନଚେତ୍ ଦୋକାନଘର ସବୁକୁ ଭାଙ୍ଗି ଦିଆଯିବ ବୋଲି କୁହାଯାଇଛି। ଗତକାଲି ପ୍ରଶାସନର କିଛି ଅଧିକାରୀ ଓ ପୁଲିସ ଅଧିକାରୀ ବୁଲି ବୁଲି ଦୋକାନୀମାନଙ୍କୁ ଏ ସଂପର୍କରେ ଅବଗତ କରାଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଲଙ୍ଗୁଳି ମଠ ଓ ଏହାର ଦୋକାନ ଘର ଭାଙ୍ଗିବାକୁ ନିଷ୍ପତ୍ତି ନିଆଯାଇଛି। ପରେ ରଘୁନନ୍ଦନ ପାଠଗାର ଓ ଏମାର ମଠର ଦୋକାନ ଘର ଭଙ୍ଗାଯିବ।
Kanak News is now on WhatsApp
Join and get latest news updates delivered to you via WhatsApp
ଶ୍ରୀମନ୍ଦିରକୁ ଲଙ୍ଗୁଳି ମଠ ଲାଗି ରହିଥିବା ବେଳେ ମଠ ନିଜ ଜାଗାରେ ୨୪ଟି ଦୋକାନ ଘର ଭଡ଼ା ସୂତ୍ରରେ ଦେଇଛି। ଯେଉଁଠି ଖଜା ଦୋକାନ, ଗଦି ଦୋକାନ, କ୍ଷୀର ଦୋକାନ ଆଦି ରହିଛି। ମିଳିଥିବା ସୂଚନା ମୁତାବକ, ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ପାଇଁ ଯେଉଁ ସର୍ତାବଳି ଲାଗୁ କରାଯାଇଛି, ସେଥିରେ ଲଙ୍ଗୁଳି ମଠ ମହନ୍ତ ସହମତି ପ୍ରକାଶ କରିବାରୁ ଜିଲ୍ଲା ପ୍ରଶାସନ ତୁରନ୍ତ ମଠ ଓ ଏହାର ଦୋକାନ ଘର ସବୁକୁ ଖାଲି କରିବାକୁ ନିର୍ଦେଶ ଦେଇଛି। ଆଜି ଦିନ ଗୋଟାଏ ସୁଦ୍ଧା ମଠ ଓ ଏହାର ଦୋକାନ ଘର ଖାଲି କରିବାକୁ ଗତକାଲି ବିଳମ୍ବିତ ରାତିରେ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନର ଏହି ନିର୍ଦ୍ଦେଶ ପରେ ଦୋକାନୀଙ୍କ ମହଲରେ କୋକୁଆ ଭୟ ଦେଖାଦେଇଛି। ଏପରିକି କିଛି ଦୋକାନୀ ତରବରିଆ ଭାବେ ବିଳମ୍ବିତ ରାତିରେ ଦୋକାନ ଘର ଖାଲି କରି ଦେଇଥିବା ଦେଖିବାକୁ ମିଳିଛି।
ସେପଟେ ଏମାର ମଠର ପ୍ରଥମ ମହଲାରେ ଥିବା ରଘୁନନ୍ଦନ ପାଠାଗାରକୁ ଭାଙ୍ଗିବାକୁ ପ୍ରଶାସନ ଅଲିଖିତ ନୋଟିସ୍ ଜାରି କରିଛି। ଇଂରେଜ ଅମଳର ରଘୁନନ୍ଦନ ପାଠାଗାରକୁ ଅସ୍ଥାୟୀ ଭାବେ ବାଗେଡ଼ିଆ ଧର୍ମଶାଳାକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଛି। ଏହି ପାଠାଗାରରେ ବହୁ ମୂଲ୍ୟବାନ ଗ୍ରନ୍ଥ ସବୁ ରହିଛି। ଏମାର ମଠ ତଳ ମହଲାରେ ଭଡ଼ା ସୂତ୍ରରେ ଲାଗିଥିବା ଦୋକାନୀ ମାଲିକଙ୍କୁ ତୁରନ୍ତ ଘର ଖାଲି କରିବାକୁ ନିର୍ଦେଶ ଦିଆଯାଇଛି। ସେହିପରି ବଡ଼ଆଖଡ଼ା ମଠ ଘରେ ବର୍ଷ ବର୍ଷ ଧରି ଚାଲି ଆସୁଥିବା ସିଂହଦ୍ବାର ଥାନାକୁ ଅସ୍ଥାୟୀ ଭାବେ ଟାଉନ୍ ଥାନାକୁ ସ୍ଥାନାନ୍ତର ଯୋଜନା କରାଯାଇଛି। ପ୍ରଥମେ ଲଙ୍ଗୁଳି ମଠ, ଏମାର ମଠ ଭଙ୍ଗା ହେବ। ପରେ ସିଂହଦ୍ବାର ଥାନା ଓ ଅନ୍ୟାନ୍ୟ ଦୋକାନବଜାର, କୋଠା ସବୁ ଭାଙ୍ଗିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଅନ୍ୟପଟେ କିଛି ଦୋକାନୀ ଆଜି ପୂର୍ବାହ୍ଣରେ ଜିଲ୍ଲାପାଳଙ୍କୁ ଭେଟିବାକୁ ଯୋଜନା କରିଛନ୍ତି। ଯେହେତୁ ବର୍ଷା ଲାଗି ରହିଛି, ଦୋକାନ ଘର ଖାଲି କରିବାକୁ କିଛି ମହଲତ ଦେବାକୁ ନିବେଦନ କରିଥିବା ଜଣାପଡ଼ିଛି। ଜିଲ୍ଲା ପ୍ରଶାସନ ଆଜି ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ସମୟ ଦେଇଛି, ଏହି ଅବଧି ପୂରିବା ପରେ ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଜଣାପଡ଼ିଛି।