ଦ୍ରୌପଦୀଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା ପ୍ରଜାପିତା ବ୍ରହ୍ମକୁମାରୀ ଆଦର୍ଶ: ଜିଉଁଥିଲେ ସରଳ ଜୀବନ, ଖାଉଥିଲେ ନିରାମିଷ ଭୋଜନ

370

କନକ ବ୍ୟୁରୋ: ନିପଟ ମଫସଲରୁ ଆସିଥିବା ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦରେ ବସିବାକୁ ଯାଉଛନ୍ତି । ନିର୍ବାଚନରେ ବିଜୟୀ ହେବା ପରେ ତାଙ୍କ ପାଇଁ ସାରାଦେଶ ଉତ୍ସବମୁଖର ହୋଇଛି । ହେଲେ, ତାଙ୍କ ଜୀବନର ଏମିତି କିଛି ସଂଘର୍ଷର କାହାଣୀ ରହିଛି ଯାହା ବହୁତ କମ୍ ଲୋକ ଜାଣିଥିବେ । ଆଉ ସେହି ସଂଘର୍ଷ ଭିତରୁ ବାହାରିବାକୁ ତାଙ୍କୁ କେମିତି ପ୍ରଜାପିତା ବ୍ରହ୍ମାକୁମାରୀ ବାଟ ଦେଖାଇଥିଲା ।

ଦେଶର ପ୍ରଥମ ନାଗରୀକ ଭାବେ ନିବାଚିତ ହେବା ପରେ ଦ୍ରୌପଦୀଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ପହଁଚି ତାଙ୍କୁ ଶୁଭେଛା ଜଣାଇଛନ୍ତି ବ୍ରହ୍ମକୁମାରୀ ଆଦର୍ଶରେ ଅନୁପ୍ରାଣିତ ଅନ୍ୟମାନେ । ପୁଷ୍ପଗୁଛ ଦେଇ ଅଭିନନ୍ଦନ ଜଣାଇଛନ୍ତି । କୁହାଯାଏ, ଦ୍ରୌପଦୀ ଏବେ ଯେଉଁ ସଫଳତାର ଶୀର୍ଷରେ ପହଁଚିଛନ୍ତିି ତା ପଛରେ ରହିଛି ବ୍ରହ୍ମକୁମାରୀ ଆଦର୍ଶର ପ୍ରେରଣା ଓ ଜୀବନଚର୍ଯ୍ୟା ।

ଅବସାଦ ଭିତରୁ ବାହାରିବା ପାଇଁ ଦିନେ ବ୍ରହ୍ମକୁମାରୀ ଆଦର୍ଶରେ ଅନୁପ୍ରାଣିତ ହୋଇ ସେଥିରେ ସାମିଲ ହୋଇଥିଲେ । ୨୦୦୯ରୁ ୨୦୧୪ , ମାତ୍ର ଚାରି ବର୍ଷ ଭିତରେ ଯେତେବେଳେ ଆଗପଛ ହୋଇ ଦୁଇ ପୁଅ ଓ ସ୍ୱାମୀ ତାଙ୍କୁ ଛାଡି ଚାଲିଯାଇଥିଲେ । ସମସ୍ତଙ୍କୁ ହରାଇ ଦ୍ରୌପଦୀ ମୁର୍ମୁ ସମ୍ପୂର୍ଣ୍ଣ ଭାଂଗି ପଡିଥିଲେ । ଏପରିକି କିଛି ଦିନ ପାଇଁ ଅବସାଦ ଭିତରକୁ ଚାଲିଯାଇଥିଲେ । କଣ କରିବେ କିଛି ଭାବି ପାରୁନଥିଲେ । ଏହି ସମୟରେ ସେ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ଯାହା ତାଙ୍କୁ ଧିରେ ଧିରେ ଅବସାଦରୁ ବାହାର କରିବା ସହ ଆଗକୁ ବଢ଼ିବାକୁ ବାଟ ଦେଖାଇଥିଲା ।

ଅବସାଦ ଭିତରୁ ବାହାରିବା ପାଇଁ ଦ୍ରୌପଦୀଙ୍କୁ କମ କସରତ କରିବାକୁ ପଡି ନଥିଲା । ପ୍ରଜାପିତା ବ୍ରହ୍ମାକୁମାରୀ ଆଦର୍ଶରେ ଅନୁପ୍ରାଣିତ ହେବା ପରେ ରାତି ୩ଟାରୁ ଉଠି ଯୋଗ କରୁଥିଲେ । ଆମିଷ ଛାଡି ସାତ୍ୱିକ ଆହାର ଗ୍ରହଣ କରୁଥିଲେ ଓ ସରଳ ଜୀବନଯାପନ କରୁଥିଲେ । ସୁସ୍ଥ ହେବା ପରେ ପୁଣି ଥରେ ଆରମ୍ଭ କରିଦେଇଥିଲେ ଲୋକଙ୍କ ସେବା ।

ଦ୍ରୌପଦୀ ନିଜ ବ୍ୟକ୍ତିଗତ ଜୀବନରେ ଘାତପ୍ରତିଘାତ ଦେଇ ଆଗକୁ ବଢିଥିବାରୁ ସେ ଅନ୍ୟମାନଙ୍କ ଦୁଃଖକୁ ବେଶ ଭଲ ଭାବରେ ବୁଝିପାରନ୍ତି । ସେ ବିଧାୟକ ହେବା ପରେ ମନ୍ତ୍ରୀ ହୋଇଥିଲେ ଏବଂ ପରେ ଝାଡଖଣ୍ଡର ରାଜ୍ୟପାଳ ଭାବେ ବି କାର୍ଯ୍ୟ ତୁଳାଇଥିଲେ । କିନ୍ତୁ ପଦର ଅଭିମାନ ତାଙ୍କ ନିକଟରେ କେବେ ନଥିଲା । ଯାହା ତାଙ୍କ ଆଜି ତାଙ୍କୁ ଦେଶର ମହାମହିମ ବନାଇ ଦେଇଛି ।

ସବୁଠାରୁ ବଡ କଥା ହେଉଛି ଦ୍ରୌପଦୀ ମୁର୍ମୁ ଏବେ ବି ବ୍ରହ୍ମକୁମାରୀ ଦିନଚର୍ଯ୍ୟା ପାଳନ କରନ୍ତି । ଆଉ ଏବେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପ୍ରଜାପିତା ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟ କେନ୍ଦ୍ରରେ ଖୁସିର ମାହୋଲ ।