ମୃତ ବ୍ୟକ୍ତିଙ୍କ ନାମରେ ଲାଇସେନ୍ସ ଆଣି ମଦ ଦୋକାନ ଚଳାଉଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ, ଗୋଆ ଅବକାରୀ ବିଭାଗର ନୋଟିସ ପରେ ରାଜନୀତି ସରଗରମ

1,878

କନକ ବ୍ୟୁରୋ : ଦିଲ୍ଲୀରେ କେଜ୍ରିୱାଲ ସରକାରଙ୍କ ଅବକାରୀ ନୀତିକୁ ବିରୋଧ କରି ଆଜି ଦିଲ୍ଲୀ ଉପରାଜ୍ୟପାଳ ସିବିଆଇ ଯାଂଚ ପାଇଁ ଦାବି କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଜୋଇଶାଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ । ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଜୋଇଶାଙ୍କର ଗୋଆର ଆସାଗାଓରେ ଏକ ଅପମାର୍କେଟ ରେଷ୍ଟୁରାଣ୍ଟରହିଛି । ଜୋଇଶା ଏହି ରେଷ୍ଟୁରାଣ୍ଟ ଚଳାଉଥିବା ବେଳେ ଦୀର୍ଘଦିନ ହେବ ଜଣେ ମୃତ ବ୍ୟକ୍ତିଙ୍କ ନାମରେ ମଦ ବିକ୍ରି ପାଇଁ ଲାଇସେନ୍ସ ଆଣି ବେଆଇନ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗ କରିଛି ଗୋଆ ଅବକାରୀ ବିଭାଗ ।

ଜୁଲାଇ ୨୧ ତାରିଖରେ ଗୋଆର ଅବକାରୀ କମିଶନର ନାରାୟଣ ଏମ ଗାଡ ଆଇନଜୀବୀ ବୁଏନୋସ ରୋଡ୍ରିଗ୍ସଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ମୁତାବକ ଜୋଇଶା ଇରାନୀଙ୍କ ଦ୍ୱାରା ପରିଚାଳିତ ସିଲି ସୋଲ୍ଫ କାଫେ ଏବଂ ବାରକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏଥିରେ କୁହାଯାଇଛି କି ଜୋଇଶା ମଦ ଲାଇସେନ୍ସ ହାସଲ କରିବା ପାଇଁ ଜାଲିଆତି ଓ ମନଗଢା ଦସ୍ତାବିଜ ପ୍ରସ୍ତୁତ କରି ଅବକାରୀ ବିଭାଗରୁ ଲାଇସେନ୍ସ ପାଇଛନ୍ତି ।

କାରଣ ଦର୍ଶାଅ ନୋଟିସରେ କୁହାଯାଇଛି କି ଲାଇସେନ୍ସ ଧାରକଙ୍କର ୧୭.୦୫.୨୦୧ ରେ ମୃତ୍ୟୁ ହୋଇଥିବା ସତ୍ତେ୍ୱ ଜୁନମାସରେ ପୁଣି ତାଙ୍କ ନାମରେ ଲାଇସେନ୍ସ ନବୀକରଣ କରାଯାଇଛି । ଏଥିରେ ଉଲ୍ଲେଖ କରାଯାଇଛି କି, ଲାଇସେନ୍ସ ନବୀକରଣ ପାଇଁ ଜୁନ ୨୨ ତାରିଖରେ ଆନ୍ଥୋନୀ ଡିଜିମାଙ୍କ ନାମରେ ଆବେଦନ କରାଯାଇଥିଲା । ହେଲେ ପୂର୍ବବର୍ଷ ମେ ମାସରେ ଡିଜିମାଙ୍କର ମୃତ୍ୟୁ ହୋଇସାରିଥିଲା । ହେଲେ ଆବେଦନରେ ଡିଜିମାଙ୍କ ଦସ୍ତଖତକୁ ଅନ୍ୟକେହି କରିଥିବା କଥା ସ୍ପଷ୍ଟ କରିଛି ଗୋଆ ଅବକାରୀ ବିଭାଗ ।

ଏନେଇ ସୂଚନା ଅଧିକାର ବଳରେ ତଥ୍ୟ ହାସଲ ହେବା ପରେ ଆକ୍ସନମୋଡକୁ ଆସିଛନ୍ତି ଗୋଆ ଅବକାରୀ କମିଶନର ରୋଡ୍ରିଗ୍ସ । ସେ କହିଛନ୍ତି କି “ମୁଁ ଚାହୁଁଛି ଅବକାରୀ ବିଭାଗ ଓ ସ୍ଥାନୀୟ ଆସାଗାଓ ପଞ୍ଚାୟତ ତରଫରୁ କେନ୍ଦ୍ର ମନ୍ତ୍ରୀଙ୍କ ପରିବାର ଦ୍ୱାରା କରାଯାଇଥିବା ଏହି ମେଗା ଠକେଇର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ”