ରାଜ ପରିବାର ପାରିବାରିକ ବିବାଦ ମାମଲା : ଅର୍କେଶ ସିଂହଦେଓଙ୍କ ସମେତ ୫ଜଣଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ; ଅଭିଯୋଗ ଆଣିଥିଲେ ପତ୍ନୀ ଆଦ୍ରିଜା

264

କନକ ବ୍ୟୁରୋ : ବଢିଲା ବଲାଙ୍ଗୀର ରାଜ ପରିବାର କଳି । ପାରିବାରିକ ହିଂସା ମାମଲା ରୁଜୁ କଲା ଉତ୍ତରାଖଣ୍ଡ ଡେରାଡୁନ ପୋଲିସ । ଆଦ୍ରିଜା ମଞ୍ଜରୀଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଛି । ସ୍ୱାମୀ ଅର୍କେଶ ସିଂହଦେଓଙ୍କ ସହ ଶ୍ୱଶୁର ଅନଙ୍ଗ ଉଦୟ, ଶାଶୁ ବିଜୟଲକ୍ଷ୍ମୀ, ଦେଢଶୁର କଳିକେଶ ଓ ଯାଆ ମେଘନାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଆଦ୍ରିଜା କରିଥିବା ଅଭିଯୋଗ ଅନୁସାରେ ଗତ ବର୍ଷ ଅଗଷ୍ଟ ମାସରୁ ତାଙ୍କୁ ନିର୍ଯାତନା ଆରମ୍ଭ ହୋଇଥିଲା ।

ଶାଶୂ ଶ୍ୱଶୁର ଯାଆ ଦେଢଶୂର ମଧ୍ୟ ହଇରାଣ କରୁଥିଲେ । ତାଙ୍କ ମା’ଙ୍କ ଦେହ ଖରାପ ହୋଇଥିବାରୁ ସେ ଡେରାଡୁନ ଆସିଥିଲେ । ଏହି ସମୟରେ ଅର୍କେଶ ତାଙ୍କୁ ଛାଡ଼ପତ୍ର ନୋଟିସ୍ ପଠାଇଥିଲେ । ଏପରିକି କ୍ୟାମେରା ଲଗାଇ ତାଙ୍କ ଉପରେ ନଜର ରଖୁଥିଲେ ବୋଲି ଅଭିଯୋଗ କରିଥିଲେ । ୨୦୧୭ ମସିହା ନଭେମ୍ବର ମାସରେ ଆଦ୍ରିଜାଙ୍କୁ ବିବାହ କରିଥିଲେ ଅର୍କେଶ । ଅଦ୍ରିଜା ହେଉଛନ୍ତି ପୂୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ନାତୁଣୀ । ୨୦୧୯ ନିର୍ବାଚନରେ ଅର୍କେଶ ବଲାଙ୍ଗିର ବିଧାନସଭା ଆସନ ପାଇଁ ଟିକେଟ୍ ପାଇବା ପରେ ଆଦ୍ରିଜା ତାଙ୍କ ପ୍ରଚାର ମଙ୍ଗ ଧରିଥିଲେ ।

ନିର୍ବାଚନରେ ଅର୍କେଶ ପରାସ୍ତ ହେବା ପରେ ଡେରାଡୁନ୍ରେ ଥିବା ଅନଙ୍ଗ ଉଦୟଙ୍କ ଘରେ ରହୁଥିଲେ ସ୍ୱାମୀ-ସ୍ତ୍ରୀ । ଉଭୟଙ୍କ ଦାମ୍ପତ୍ୟ ଜୀବନ ଠିକ ଚାଲିଥିବା ବେଳେ ଗତ ବର୍ଷ ସେପ୍ଟେମ୍ବରରେ ଆଦ୍ରିଜା ନିର୍ଯାତନା ଅଭିଯୋଗ ଆଣିଥିଲେ । ସ୍ୱାମୀ ତାଙ୍କ ପ୍ରତି ଅତ୍ୟାଚାର କରିଥିବାର ଅଭିଯୋଗ ଆଣିଥିଲେ ଆଦ୍ରିଜା । ସେ ନିର୍ବାଚନ ପାଇଁ ଟିକେଟ୍ ମାଗୁଛନ୍ତି ଓ ଶହେ କୋଟି ଟଙ୍କା ମାଗୁଛନ୍ତି ବୋଲି ଅର୍କେଶ ଅଭିଯୋଗ କରିଛନ୍ତି ।