ମିଗ୍-୨୧ ବିମାନ ଉଡାଣ ଉପରେ ରୋକ ଲଗାଇଲା ବାୟୁସେନା, ରାଜସ୍ଥାନ ଦୁର୍ଘଟଣାରେ ବାୟୁସେନା ନେଲା ନିଷ୍ପତ୍ତି

178

କନକ ବ୍ୟୁରୋ : ଲଗାତର ଦୁର୍ଘଟଣାରେ ଶିକାର ହେବା ପରେ ଭାରତୀୟ ବାୟୁସେନା ପକ୍ଷରୁ ଏମଆଇଜି-୨୧ ବିମାନ ଉଡାଣ ଉପରେ ଅସ୍ଥାୟୀ ଭାବେ ରୋକ ଲଗାଇଦିଆଯାଇଛି । ମେ’୮ ତାରିଖରେ ରାଜସ୍ଥାନର ହନୁମାନ ଗଡ ଠାରେ ଭାରତୀୟ ବାୟୁସେନାର ମିଗ୍-୨୧ ବିମାନ ରୁଟିନ୍ ଚେକଅପ୍ ବେଳେ ଦୁର୍ଘଟଣାରେ ଶିକାର ହୋଇଥିଲା ଏହି ଦୁର୍ଘଟଣାରେ ୩ଜଣ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଦୁଇଜଣ ପାଇଲଟ ଆହାତ ହୋଇଥିଲେ । ଏହି ଦୁର୍ଘଟଣା ପରେ ଏମଆଇଜି-୨୧ର ସମସ୍ତ ବିମାନ ଉଡାଣ ଉପରେ ରୋକ ଲଗାଇ ଦେଇଥିଲେ । ବାୟୁସେନା ତରଫରୁ କୁହାଯାଇଥିଲା କି, ଏହି ଦୁର୍ଘଟଣାର ପ୍ରକୃତ କାରଣ ନଜଣାପଡିବା ପର୍ଯ୍ୟନ୍ତ ମିଗ୍-୨୧ ବିମାନର ସମସ୍ତ ଉଡାଣ ବନ୍ଦ ରହିବ ।

ଏବେ ବାୟୁସେନା ନିକଟରେ ମିଗ୍-୨୧ର ୩ଟି ସ୍କାର୍ଡନ ରହିଛି । ପ୍ରତି ସ୍କାର୍ଡନରେ ୧୬ ରୁ ୧୮ ଟି ଏୟାରକ୍ରାଫ୍ଟ ରହିଛି । ଏହି ହିସାବରେ ବାୟୁସେନା ନିକଟରେ ମୋଟ ୫୦ଟି ମିଗ୍ -୨୧ ବିମାନ ରହିଛି । ଏସବୁ ବିମାନଗୁଡିକୁ ୨୦୨୫ ସୁଦ୍ଧା ଅବସର ଦେବାକୁ ବାୟୁସେନା ଯୋଜନା କରିଛି । ସିଂଗଲ ଇଂଜିନ ଥିବା ଏହି ସୁପର ସୋନିକ ଫାଇଟର ଜେଟ ଗତ ୧୬ ମାସ ମଧ୍ୟରେ ୭ ଥର ଦୁର୍ଘଟଣାରେ ଶିକାର ହୋଇଛି । ଏଥିରେ ବାୟୁସେନାର ୫ଜଣ ପାଇଲଟଙ୍କର ଜୀବନ ଯାଇଛି ।

ଋଷ ଦ୍ୱାରା ନିର୍ମାଣ କରାଯାଇଥିବା ଏହି ଯୁଦ୍ଧ ବିମାନ ୧୯୬୩ ମସିହାରେ ପ୍ରଥମଥର ପାଇଁ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା । ସେବେଠାରୁ ଏପର୍ଯ୍ୟନ୍ତ ବାୟୁସେନାକୁ ୮୭୨ ଟି ବିମାନ ମିଳିଥିବା ବେଳେ ସେଗୁଡିକ ମଧ୍ୟରୁ ୫୦୦ ବିମାନ ଦୁର୍ଘଟଣାରେ ଶିକାର ହୋଇସାରିଛି । ଏହି ଦୁର୍ଘଟଣାରେ ମୋଟ ୨୦୦ରୁ ଅଧିକ ଚାଳକଙ୍କର ମୃତ୍ୟୁ ହୋଇଛି । ଏହାସହ ୫୬ଜଣ ସାଧାରଣ ଲୋକଙ୍କର ଜୀବନ ଯାଇଛି ।