ଏନଏମସିକୁ ବିରୋଧ କରି ଡାକ୍ତରଙ୍କ ଅନଶନ ଜାରି : ସାରା ଦେଶରେ ସ୍ୱାସ୍ଥ୍ୟସେବା ଠପ୍, ଗୋଟିଏ ଦିନରେ ୩୪ ରୋଗୀ ମୃତ

109

କନକ ବ୍ୟୁରୋ : ନ୍ୟାସନାଲ ମେଡିକାଲ କମିଶନ ବିଲ ବା ଏନଏମସିକୁ ବିରୋଧ କରି ଡାକ୍ତରମାନେ ଅନଶନ ଜାରି ରଖିଛନ୍ତି । ଯାହାଫଳରେ ସ୍ୱାସ୍ଥ୍ୟ ସେବା ଠପ ହୋଇଯାଇଛି । ଡାକ୍ତରଙ୍କ ଅନଶନ ଫଳରେ ରୋଗୀଙ୍କର ଚିକିତ୍ସା ହୋଇପାରୁନାହିଁ । ଚଣ୍ଡୀଗଡ଼ରେ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ୩୪ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି । ମିଳିଥିବା ସୂଚନା ମୁତାବକ ଚଣ୍ଡୀଗଡ଼ର ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚରେ ଶନିବାର ବୃକକ ପ୍ରତିରୋପଣ ବିଭାଗରେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିଲା ।

ଏହାପରେ ରୋଗୀଙ୍କର ମୃତ୍ୟୁ ହେବାରେ ଲାଗିଥିଲା । ଏବେ ଏହି ସଂଖ୍ୟା ୩୪ରେ ପହଁଚିଯାଇଥିବାବେଳେ ମୃତକଙ୍କ ମଧ୍ୟରେ ୪ ଜଣ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ଅନ୍ୟ ରୋଗୀମାନେ ଦୀର୍ଘଦିନ ଧରି ରୋଗରେ ପୀଡିତ ଥିଲେ । ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ଯେ ଡାକ୍ତରଙ୍କ ଆନ୍ଦୋଳନ ଫଳରେ ଚିକିତ୍ସା କରିବାକୁ କେହି ଆସିନଥିଲେ । ଯାହାଫଳରେ ରୋଗୀଙ୍କର ମୃତ୍ୟୁ ହୋଇଯାଇଛି । ଅନ୍ୟପଟେ ଡାକ୍ତରମାନେ ଏହି ଆନ୍ଦୋଳନକୁ ତୀବ୍ରତର କରିବାକୁ ଧମକ ଦେଇଛନ୍ତି ।