ଗରିବ ଚାଷୀଙ୍କ ପାଇଁ ଖୁସି ଖବର : ବିନା ବିଦ୍ୟୁତ ଓ ଇନ୍ଧନରେ ଉଚ୍ଚ ଜମିରେ ଜଳସେଚନ ସମ୍ଭବ, ପୋଲସରାର ଦ୍ୱିତିକୃଷ୍ଣ ତିଆରି କଲେ ସ୍ୱୟଂଚାଳିତ ଉଠାଜଳସେଚନ ଯନ୍ତ୍ର

1,136

କନକ ବ୍ୟୁରୋ : ଦେଶ ପ୍ରଗତିର ପ୍ରକୃତ ଧାରକ କୃଷକ । ତଥାପି ସବୁବେଳେ ଅଲୋଡ଼ା ଚାଷୀକୂଳ । ହାଡ଼ଭଙ୍ଗା ପରିଶ୍ରମ କରି ସମସ୍ତଙ୍କ ପେଟକୁ ଦାନା ଯୋଗାଏ ଚାଷୀ, ହେଲେ ତା’ପେଟ ଅପୋଷା ରହେ । ନିଅଣ୍ଟିଆ ବର୍ଷା, ରୋଗପୋକ ଯୋଗୁଁ ଚାଷୀଙ୍କୁ ଉଚିତ ପ୍ରାପ୍ୟ ମିଳୁନି । ଉଚିତ ମୂଲ୍ୟ ନମିଳିବା ଯୋଗୁଁ ସେମାନଙ୍କ ପାଇଁ ଘର ଚଳାଇବା କଷ୍ଟକର ହୋଇପଡ଼ୁୁଛି । ଦେଶର ମେରୁଦଣ୍ଡ କୁହାଯାଉଥିବା ଚାଷୀକୂଳ ଅଣ୍ଟା ସଳଖ କରି ଛିଡ଼ା ହୋଇପାରୁନି । ଅନ୍ୟପଟେ ବେଡ଼ି ଉପରେ କୋରଡ଼ା ପରି ଋଣବୋଝ ଉପରେ ଚାପି ହୋଇଯାଉଛି ଚାଷୀପୁଅ । ହେଲେ ଏତେସବୁ ବାଧାବିଘ୍ନ ଭିତରେ ପୋଲସରାର ଜଣେ ଚାଷୀ ଅନ୍ୟ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ଗଞ୍ଜାମ ପୋଲସରା ଗୋଠଳି ଗ୍ରାମର ଦ୍ୱିତିକୃଷ୍ଣ ଗୌଡ଼ । ଚାଷୀକୂଳଙ୍କ ପାଇଁ ନୂଆ ଉଦ୍ଭାବନ କରିଛନ୍ତି ଦ୍ୱିତିକୃଷ୍ଣ । ଆବଶ୍ୟକ ପଡ଼ିଲେ ଅଳ୍ପ ଟଙ୍କା କିପରି କାମ ସହଜ ହୋଇପାରିବ ସେକଥା ସମସ୍ତେ ଚିନ୍ତା କରନ୍ତି । ହେଲେ ବାରମ୍ବାର ଚେଷ୍ଟା ଜାରି ରଖିଥିବା ମଣିଷକୁ ହିଁ ସଫଳତା ମିଳେ । ଦ୍ୱିତିକୃଷ୍ଣଙ୍କ କ୍ଷେତ୍ରରେ ଏପରି ହୋଇଛି । ବର୍ତ୍ତମାନ ଚାଷୀଙ୍କ ପାଇଁ ବଡ଼ ଅସୁବିଧା ପାଲଟିଥିବା ଜଳସେଚନ ଆଉ ଅପହଞ୍ଚ ହେବ ନାହିଁ । ବର୍ଷା ନହେଲେ ଉଚ୍ଚସ୍ତରରେ ଥିବା ଜମିରେ ବି ଜଳସେଚନ ସମ୍ଭବ ହୋଇପାରିବ । ଉଚ୍ଚସ୍ଥାନକୁ ଜଳସେଚନ ପାଇଁ ଏକ ଯନ୍ତ୍ର ଉଦ୍ଭାବନ କରିଛନ୍ତି ଦ୍ୱିତିକୃଷ୍ଣ । ତେବେ ସବୁଠାରୁ ବଡ଼ କଥା ହେଲା ବିଦ୍ୟୁତ ଏବଂ ଇନ୍ଧନ ବିନା ଅନବରତ ଚାଲିବ ଏହି ଯନ୍ତ୍ର । ୨୫୦୦ରୁ ୩୦୦ ଟଙ୍କା ଖର୍ଚ୍ଚ କରି ସ୍ୱୟଂଚାଳିତ ଉଠାଜଳସେଚନ ଯନ୍ତ୍ର ତିଆରି କରିଛନ୍ତି ଦ୍ୱିତିକୃଷ୍ଣ ।

ଦ୍ୱିତିକୃଷ୍ଣ ଗୌଡ଼ଙ୍କର ଦୁଇ ଏକର ଜମି ଗ୍ରାମର ସବୁଠାରୁ ଉଚ୍ଚ ସ୍ଥାନରେ ରହିଛି । ହେଲେ ଜଳ ସେଚନ ଅସୁବିଧା ଯୋଗୁଁ ଦୀର୍ଘ ବର୍ଷ ଧରି ଜମି ଚାଷ କରିପାରୁନଥିଲେ ଦ୍ୱିତିକୃଷ୍ଣ । ପଡିଆ ଜମିକୁ ଉତ୍ପାଦନ କରିବା ଆଶାରେ ଦିତିକୃଷ୍ଣ ଗୌଡ଼ ପ୍ରତେକ ବର୍ଷ କିଛି ନା କିଛି ପ୍ରୟାସ କରି ଅସଫଳ ରହୁ ଥିଲେ । ତଥାପି ହାର ନମାନି ଅକ୍ଳାନ୍ତ ପରିଶ୍ରମ କରି ସେ ଜଳସେଚନ ପାଇଁ ସ୍ୱତନ୍ତ୍ର ଯନ୍ତ୍ର ନିର୍ମାଣ କରିବାରେ ସକ୍ଷମ ହୋଇପାରିଛନ୍ତି ।

ଜଳ ସ୍ତରର ୧୫ ଫୁଟ ଉଚ୍ଚ ପର୍ଯ୍ୟନ୍ତ ଜମିରେ ଏହି ଯନ୍ତ୍ର ଦ୍ୱାରା ଜଳସେଚନ ହୋଇପାରିବ । ଗରିବ ଚାଷୀଙ୍କ ପାଇଁ ଏହି ଯନ୍ତ୍ର ବ୍ୟବହାର ଉପଯୋଗୀ ହୋଇପାରିବ । ଏହି ଯନ୍ତ୍ର ପାଇଁ ଜିଲ୍ଲାସ୍ତରରେ ଦ୍ୱିତିକୃଷ୍ଣ ପୁରସ୍କୃତ ମଧ୍ୟ ହୋଇସାରିଛନ୍ତି । ଆଗାମୀ ଦିନରେ ସରକାରୀ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ମିଳିଲେ ଦିତିକୃଷ୍ଣ ଗୌଡ଼ ଙ୍କୁ ପ୍ରଶାସନିକ ସ୍ତରରେ କିମ୍ବା ଯନ୍ତ୍ରଟି ଉନ୍ନତ ମାନର ହୋଇ ପାରନ୍ତା ବୋଲି ସେ କହିଛନ୍ତି ।