ପୁଣି ଫେରିବ କି ଲକଡାଉନ୍ ? ଆଶଙ୍କା ବଢୁଥିବା ବେଳେ ବିଶିଷ୍ଟ ଡାକ୍ତର ଦେବୀ ସେଟ୍ଟୀଙ୍କ ବଡ଼ ବୟାନ । କହିଲେ, ଦେଶରେ ଆବଶ୍ୟକ ନାହିଁ ଲକଡାଉନ୍ ।

498

କନକ ବ୍ୟୁରୋ: ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ପୁଣି ଥରେ ଲୋକଙ୍କୁ ଭୟ ଭିତରକୁ ଠେଲି ଦେଇଛି । ଦେଶର ବିଭିନ୍ନ ରାଜ୍ୟ ସରକାର କେତେକ ପ୍ରମୁଖ ସହରରେ ପୁଣି ଥରେ ତାଲାବନ୍ଦ ଲାଗୁ କରିଛନ୍ତି । ଜରୁରୀକାଳୀନ ସେବାକୁ ଛାଡ଼ି ଦେଲେ ସେଠାରେ ସବୁକିଛି ବନ୍ଦ ରହିଛି । ସେହିପରି ଆଉ କେତେକ ସ୍ଥାନରେ ନାଇଟ୍ କର୍ଫ୍ୟୁ କଟକଣାକୁ ଆହୁରି କଡାକଡି କରାଯାଇଛି । ଲଗାତାର ଭାବେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ସେଠାକାର ସରକାର ।

ହେଲେ, ଏବେ ପ୍ରଶ୍ନ ଉଠୁଛି କରୋନାକୁ ରୋକିବା ପାଇଁ ଲକଡାଉନ କଣ ଏକମାତ୍ର ଉପାୟ? ନାଁ ଆଉ କିଛି ବିକଳ୍ପ ରହିଛି? ଏଭଳି ସମୟରେ ବରିଷ୍ଠ ଚିକିତ୍ସକ ଡାକ୍ତର ଦେବୀ ସେଟ୍ଟୀଙ୍କର ଏକ ଲେଖା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏଥିରେ କରୋନା ସଂକ୍ରମଣ ରୋକିବାକୁ ଗୋଟିଏ ବର୍ଷର ଅଭିଜ୍ଞତାରୁ ପରାମର୍ଶ ଦେଇଛନ୍ତି । ଏଥିରେ ଲେଖିଛନ୍ତି, ଆମେ ଯଦି ସମୂହ ଟିକାକରଣ କରିବା ଓ ୨୦ ରୁ ୪୫ ବର୍ଷ ବୟସ୍କଙ୍କୁ ଏଥିରେ ସାମିଲ କରିବା, ଯେଉଁମାନେ କି ସୁପର ସ୍ପ୍ରେଡର, ତେବେ ମହାମାରୀ କରୋନାକୁ ୬ ମାସ ମଧ୍ୟରେ ରୋକିପାରିବା ।

ଦେବୀ ସେଟ୍ଟୀ ହେଉଛନ୍ତି ଦେଶର ଜଣେ ଜଣାଶୁଣା ହୃଦରୋଗ ବିଶେଷଜ୍ଞ । ଗତବର୍ଷ ଦେଶରେ ଯେତେବେଳେ କରୋନା ଦେଶକୁ ପ୍ରବେଶ କରିଥିଲେ ଯେଉଁ କେତେଜଣ ଡାକ୍ତର ଲକଡାଉନ କରିବାକୁ ସରକାରଙ୍କୁ ପରାମର୍ଶ ଦେଇଥିଲେ ସେମାନଙ୍କ ମଧ୍ୟରେ ସେ ଥିଲେ । ହେଲେ ଏବେ ଯେତେବେଳେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଛି , ସେ ଲକଡାଉନ ଅପେକ୍ଷା ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦେବାକୁ ସରକାରଙ୍କୁ ଏହି ଲେଖା ମାଧ୍ୟମରେ ପରାମର୍ଶ ଦେଇଛନ୍ତି ।

ସେ ଲେଖିଛନ୍ତିି, ଗତବର୍ଷ ଯେତେବେଳେ ଏହି ମହମାରୀ ଭୂତାଣୁ ଦେଶକୁ ଆସିଥିଲା ଏହା ସମ୍ପୂର୍ଣ୍ଣ ନୂଆ ଥିଲା । ଏହି ଭୂତାଣୁର କିଭଳି ଚିକିତ୍ସା କରାଯିବ ସେନେଇ କୌଣସି ଅଭିଜ୍ଞତା ନଥିଲା । ସେହିପରି ଚିକିତ୍ସା ପାଇଁ ଭିତିଭୂମିର ଅଭାବ ରହିଥିଲା । ତେଣୁ କରୋନା ସହ ଲଢ଼େଇ ପାଇଁ ଭିତିଭୂମିର ବିକାଶ କରିବା ଦୃଷ୍ଟିରୁ ସେହି ସମୟରେ ଲକଡାଉନ କରିବା ଜରୁରୀ ଥିଲା । ହେଲେ ଏବେ ସ୍ଥିତି ବଦଳିଛି, କରୋନା ଆକ୍ରାନ୍ତଙ୍କର କେମିତି ଚିକିତ୍ସା କରାଯିବ ସେ ନେଇ ଡାକ୍ତରମାନଙ୍କର ଅଭିଜ୍ଞତା ବି ହୋଇଛି । ସେହିପରି ହସ୍ପିଟାଲ ଉପରେ ରୋଗୀଙ୍କ ଚାପ କମାଇବା ପାଇଁ ଅଳ୍ପ ସଂକ୍ରମିତ ହୋଇଥିବା ରୋଗୀଙ୍କୁ ଘରେ ସଂଗରୋଧରେ ରଖି ଚିକିତ୍ସା କରାଯାଇପାରୁଛି । ତେଣୁ ପୁଣି ଥରେ ଲକଡାଉନ ଲାଗୁ କଲେ ଏହା ଆମକୁ ଆଉ ବିଶେଷ କିଛି ସହଯୋଗ କରିବ ନାହିଁ ।

ଦେଶରେ ଯେତିକି କରୋନା ସଂକ୍ରମିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ୨୦ ରୁ ୪୫ବର୍ଷ ବୟସ୍କ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ କର୍ମଜୀବୀ ହୋଇଥିବାରୁ ଏ ସ୍ଥାନରୁ ସେ ସ୍ଥାନକୁ ଯାଆସ କରୁଥିଲେ ଓ ସୁପର ସ୍ପ୍ରେଡର ବନିଥିଲେ । କରୋନାକୁ ରୋକିବା ପାଇଁ ହେଲେ ଏହି ବର୍ଗକୁ ଟିକାକରଣରେ ସାମିଲ କରିବାକୁ ପଡିବ । ଏମାନଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଲେ, ଏହା ସଂକ୍ରମଣକୁ ରୋକିବାରେ ବେଶ୍ ସହାୟକ ହେବ । ଏଭଳି ପରାମର୍ଶ ଦେଇଛନ୍ତି ବରିଷ୍ଠ ଚିକିିତ୍ସକ ଡାକ୍ତର ଦେବୀ ସେଟ୍ଟୀ । କେବଳ ଦେବୀ ସେଟ୍ଟୀ ନୁହଁନ୍ତି କରୋନାକୁ ରୋକିବା ପାଇଁ ଅଧିକରୁ ଅଧିକ ଟିକାକରଣ ପାଇଁ ଅନ୍ୟ ବିଶେଷଜ୍ଞମାନେ ମଧ୍ୟ ପରାମର୍ଶ ଦେଇ ଆସୁଛନ୍ତି ।

କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଭୂତାଣୁ ସହ ଲଢ଼ିବାର ଏକମାତ୍ର ବାଟ ହେଉଛି ଟିକା ଓ ସତର୍କତା । ଶେଷ ଖବର ସୁଦ୍ଧା ଆମ ଦେଶରେ ପ୍ରାୟ ୫କୋଟି ଟିକା ଦିଆ ଯାଇଛିି । ଆଉ ଓଡ଼ିଶାରେ ୧୮ ଲକ୍ଷ ଲୋକଙ୍କୁ ଟିକା ଦିଆ ଯାଇଛି ଏବଂ ପ୍ରତ୍ୟକ ଦିନ ରାଜ୍ୟରେ ୧ଲକ୍ଷରୁ ଅଧିକ ଲୋକଙ୍କ ଟିକା ଦେବାକୁ ଟାର୍ଗେଟ ରଖିଛନ୍ତି ସରକାର । ଭାରତରେ ହର୍ଡ ଇମ୍ୟୁନିଟି ବା ସମୂହ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ପାଇଁ ୮୦ କୋଟି ଲୋକଙ୍କୁ ଟିକା ଦେବା ଜରୁରୀ । ହେଲେ ଯେମିତି ଟିକାକରଣ ଚାଲିଛି, ଲକ୍ଷ୍ୟରେ ପହଁଚିବା ପାଇଁ ବର୍ଷ ଟପିଯିବ ।