ଚିନ୍ତା ବଢାଇଲା ଟ୍ୱିନ୍ ସିଟିର କରୋନା ରିପୋର୍ଟ । ସେପଟେ ଗଞ୍ଜାମରେ କଡାକଡି ହେଲା ନିୟମ । ମଙ୍ଗଳବାର କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । 

252

କନକ ବ୍ୟୁରୋ: କରୋନା ସଂକ୍ରମଣ ସଂଖ୍ୟା କମିଯିବା ପରେ ଭୂତାଣୁକୁ ନେଇ ଲୋକ ଖାମଖିଆଲି ମନୋଭାବ ରଖୁଥିଲେ, କିଛି ଦିନ ତଳେ ଏହା ସ୍ପଷ୍ଟ ବାରି ହୋଇପଡୁଥିଲା । ଏବେ କିନ୍ତୁ ପୁଣି କଡ଼ ଲେଉଟାଇଛି କରୋନା । ପ୍ରାୟ ଦୁଇ ମାସ ପରେ ରାଜ୍ୟରେ କରୋନା ସଂକ୍ରମଣ ଦେଢ଼ଶହ ପାଖକୁ ଛୁଇଁଛି ଆଉ ସଂକ୍ରମଣର ସବୁଠୁ ଆଗରେ ରହିଛି କଟକ ଓ ଭୁବନେଶ୍ୱର । ଏହି ଦୁଇଟି ଜିଲ୍ଲାରୁ ମୋଟ ୬୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଆଜି ରାଜ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ସଂଖ୍ୟାର ୪୧% ।

ପ୍ରାୟ ଗୋଟିଏ ସପ୍ତାହ ହେଲାଣି ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ଦୁଇ ଅଙ୍କରେ ରହୁଛି । ଏପଟେ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି କଟକ ଜିଲ୍ଲାର ସଂକ୍ରମଣ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଜଣେ ସେବାୟତ କରୋନା ପିଜିଟିଭ୍ ଆସିଥିବା ବେଳେ ତାଙ୍କ ପରିବାର ସଦସ୍ୟ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିପାଇଁ  ବିଏମ୍ସି ପକ୍ଷରୁ ପରୀକ୍ଷା, ଯାଞ୍ଚ ଏବଂ କଟକଣାକୁ ଆହୁରି ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି ।

ଅନ୍ୟପଟେ ଦେଶରେ ବଢ଼ୁଥିବା ସଂକ୍ରମଣ ଓ ରାଜ୍ୟରେ ବଢ଼ୁଥିବା ସଂଖ୍ୟାକୁ ନଜରରେ ରଖି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କରୋନା ସ୍ଥିତିର ସମୀକ୍ଷା କରାଯାଇଛି । ତା ସହ ମଙ୍ଗଳବାର କରୋନା ସ୍ଥିତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ଆଉ ଏଭଳି ସ୍ଥିତିରେ ସତର୍କ ନହେଲେ ସ୍ଥିତି ବିଗିଡି ଯିବ ବୋଲି ସତର୍କ କରିଛନ୍ତି ଡିଏମ୍ଇଟି । କରୋନା ନିୟମ ନମାନିଲେ ପୁଣି ଲକଡାଉନ୍ ଫେରିବ ବୋଲି ଚେତାଇ ଦେଇଛନ୍ତି ସିବିକେ ମହାନ୍ତି ।

ଏପଟେ କରୋନା ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଗଞ୍ଜାମରେ ମହାମାରୀ ମୁକାବିଲା ପାଇଁ ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ପ୍ରବାସୀ ଓଡିଆଙ୍କୁ ନେଇ ସତର୍କ ରହିଛି ପ୍ରଶାସନ । ସୁରଟ ଓ ମୁମ୍ବାଇରୁ ଗଂଜାମ ଜିଲ୍ଲାକୁ ଫରିଲେ ସଂଗରୋଧରେ ରହିବାକୁ ପଡିବ । ଅତ୍ୟଧିକ ସଂକ୍ରମିତ ରାଜ୍ୟରୁ ଜିଲ୍ଲାକୁ ଫେରୁଥିଲେ ଆର୍ଟିପିସିଆର କରୋନା ନେଗେଟିଭ୍ ରିପୋର୍ଟ ଧରି ଫେରିବା ବାଧ୍ୟତାମୂଳକ କରାଯାଇଛି । କରୋନା ଟେଷ୍ଟ କରି ଆସନ୍ତୁ, ନଚେତ୍ ୭ ଦିନ ଗୃହ ସଂଗରୋଧରେ ରହିବାକୁ ପଡିବ । ଯଦି କେହି ଦଣ୍ଡ ନାଚ ପାଇଁ ଫେରିବାକୁ ଚାହୁଁଛନ୍ତି, ତେବେ ସେମାନେ ନଆସିବା ପାଇଁ ପରାମର୍ଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

କରୋନାର ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ ହେଉଥିବା ବେଳେ କିନ୍ତୁ ଦେଶରେ ଉତ୍କଟ ହେବାରେ ଲାଗିଛି କରୋନା ସ୍ଥିତି । ଦେଶର ୫ଟି ରାଜ୍ୟରୁ ଚିହ୍ନଟ ହେଉଛନ୍ତି ୮୦% ରୋଗୀ । ମହାରାଷ୍ଟ୍ର, ପଂଜାବ, କର୍ଣ୍ଣାଟକ, ଗୁଜରାଟ ଓ ମଧ୍ୟପ୍ରଦେଶରୁ ୮୦% ରୋଗୀ ଚିହ୍ନଟ ହେଉଛନ୍ତି ।