ଜନ୍ମରୁ ମୂକ, କିନ୍ତୁ ପଡିଆରେ କଥା କୁହେ ବ୍ୟାଟ । ପଢନ୍ତୁ ଓଡ଼ିଆ ପୁଅ ତଥା ଭାରତୀୟ ଭିନ୍ନକ୍ଷମ କ୍ରିକେଟ ଦଳର ଅଧିନାୟକଙ୍କ ଜୀବନଯନ୍ତ୍ରଣାର କାହାଣୀ

51

କନକ ବ୍ୟୁରୋ : ହାତରେ ବ୍ୟାଟ ଓ ବଲ, ଏବଂ ମନରେ ଦୃଢ ଆତ୍ମବିଶ୍ୱାସ । କିନ୍ତୁ ଲକ୍ଷ୍ୟପଥରେ ପହଞ୍ଚିବା ପୂର୍ବରୁ ବାଧା ସୃଷ୍ଟି କରୁଛି ଅର୍ଥାଭାବ । ଦେଶ ପାଇଁ ଅନେକ ମେଡାଲ ଜିତିଛନ୍ତି କିନ୍ତୁ ପ୍ରତିବଦଳରେ କିଛି ମିଳିନାହିଁ । ଏଭଳି କାହାଣୀ ହେଉଛି ଭାରତୀୟ ଭିନ୍ନକ୍ଷମ କ୍ରିକେଟ ଦଳର ଅଧିନାୟକ ପ୍ରଭାତ ବରାଳଙ୍କର । ପଙ୍କରୁ ପଦ୍ମ ଫୁଟିଲା ଭଳି ପୁରୀ ବେରୁଆ ଶାସନ ଗାଁରେ ଏକ ଗରିବ ପରିବାରେ ଜନ୍ମ ଭାରତୀୟ ଭିନ୍ନକ୍ଷମ କ୍ରିକେଟ ଦଳର ଅଧିନାୟକ ପ୍ରଭାତ ବରାଳ । ଦେଶ ଓ ବିଦେଶକୁ ଯାଇ ଅନେକ ପୁରସ୍କାର ଜିତି ସୁନାମ ଅର୍ଜନ କରିଛନ୍ତି ପ୍ରଭାତ । କିନ୍ତୁ ଏବେ ଅଭାବ ଅନଟନରେ କଟୁଛି ଭାରତୀୟ ଭିନ୍ନକ୍ଷମ କ୍ରିକେଟ ଦଳର ଅଧିନାୟକଙ୍କ ଜୀବନ । ପ୍ରଭାତଙ୍କ ପରିବାରର ଆର୍ଥିକ ସ୍ଥିତି ଏତେ ଖରାପ ତାହା ନକହିବା ଭଲ ।

vlcsnap-2017-12-28-18h50m08s832ପୁରୀ ଜିଲ୍ଲା ବଳଙ୍ଗା ନିକଟବର୍ତ୍ତୀ ବେରୁଆ ଗାଁର ଏକ ଗରିବ ପରିବାରରେ ଜନ୍ମ ପ୍ରଭାତ ବରାଳ । ନିଜର ପ୍ରତିଭା ବଳରେ ସେ ଆଜି ଭାରତୀୟ ଭିନ୍ନକ୍ଷମ କ୍ରିକେଟ ଦଳର ଅଧିନାୟକ ହୋଇପାରିଛନ୍ତି । ଜନ୍ମରୁ କିଛି କହି ପାରୁନଥିବା ପ୍ରଭାତ କିନ୍ତୁ ନିଜ ବ୍ୟାଟିଂ ବଳରେ ଅନେକ କିଛି କହିଥାନ୍ତି । ରାଜ୍ୟ ଓ ରାଜ୍ୟ ବାହାରେ ଆଗ୍ରା,ଆନ୍ଧ୍ରପ୍ରଦେଶ,ବାଂଲାଦେଶ ଭଳି ବିଭନ୍ନ ସ୍ଥାନରେ ଖେଳି ଗୋଲ୍ଡ ଓ ସିଲଭର ଜିତିଛନ୍ତି । କିନ୍ତୁ ଏବେ ଝାଟି ମାଟି ଘରେ ବିଭିନ୍ନ ଆର୍ଥିକ ଅନାଟନ ଦେଇ ଗତିକରୁଛନ୍ତି ପ୍ରଭାତଙ୍କ ପରିବାର । ଦିନ ମଜୁରିଆ ଭାବେ ପ୍ରଭାତଙ୍କ ବାପା କାମ କରୁଥିବା ବେଳେ ସରକାରୀ ସହାୟତା ଏମାନଙ୍କ ପାଇଁ ଅପହଂଚ ।

ଭାରତ ପାଇଁ ଗର୍ବ ଆଣିଥିବା ପ୍ରଭାତଙ୍କ ଉପରେ ଏଯାଏଁ ସରକାର କିମ୍ବା ପ୍ରଶାସନର ଦୃଷ୍ଟି ପଡିନାହିଁ । କ୍ରିକେଟ ଖେଳରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଭାରତର କ୍ରିକେଟ ଦଳର ଅଧିନାୟକଙ୍କ ଅବସ୍ଥା ଏମିତି ଥିବା କଥା ଅନେକ କ୍ରିକେଟପ୍ରେମୀଙ୍କୁ ଆଶ୍ଚଯ୍ୟ କରିଛି । ଜାତୀୟ ତଥା ରାଜ୍ୟସ୍ତରୀୟ କ୍ରୀଡାବିତଙ୍କ ପାଇଁ ଓଡ଼ିଶା ସରକାର ଅନେକ ଯୋଜନା ଘୋଷଣା କରୁଥିଲେ ମଧ୍ୟ ଏଥିରୁ ବଞ୍ଚିତ ହୋଇଛନ୍ତି ପ୍ରଭାତ । ତେଣୁ ରାଜ୍ୟର ଅନ୍ୟ କ୍ରୀଡାବିତଙ୍କ ଭଳି ପ୍ରଭାତଙ୍କୁ ମଧ୍ୟ ସରକାରୀ ସହାୟତା ମିଳୁ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା ପ୍ରଭାତଙ୍କ ଉପରେ କେବେ ପଡୁଛି ସରକାରଙ୍କ ଦୃଷ୍ଟି ।