ରାଜକୋଟ ଟି-୨୦ରେ ଟିମ୍ ଇଣ୍ଡିଆର ବାଜିମାତ୍ । ଦକ୍ଷିଣ ଆଫ୍ରିକାକୁ ୮୨ ରନରେ ହରାଇଲା ଭାରତ

201

କନକ ବ୍ୟୁରୋ : ରାଜକୋଟରେ ଚାଲିଥିବା ଟି-୨୦ ମ୍ୟାଚରେ ବାଜିମାତ କରିଛି ଟିମ ଇଣ୍ଡିଆ । ଦକ୍ଷିଣ ଆଫ୍ରିକାକୁ ୮୨ ରନରେ ହରାଇଛି ଭାରତ । ଏହି ବିଜୟ ସହ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ଭାରତ ବରାବର ସ୍ଥିତିକୁ ନେଇ ଆସିଛି । ସିରିଜରେ ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ହୋଇ ୨-୦ରେ ଆଗୁଆ ରହିଥିଲା ଦକ୍ଷିଣ ଆଫ୍ରିକା । କିନ୍ତୁ ତୃତୀୟ ଓ ଚତୁର୍ଥ ମ୍ୟାଚରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି ସିରିଜକୁ ବରାବର କରିପାରିଛି । ଆସନ୍ତାକାଲି ବାଙ୍ଗାଲୁରୁରେ ଖେଳାଯିବାକୁ ଥିବା ଅନ୍ତିମ ମ୍ୟାଚରେ ନିର୍ଣ୍ଣାୟକ ଲଢେଇ କରିବେ ଦୁଇ ଦଳ ।

ଗତକାଲି ଟସ ଜିତି ପ୍ରଥମେ ଫିଲଡିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ ହରାଇ ୧୬୯ ରନ କରିଥିଲା । ଦଳ ପକ୍ଷରୁ ଦିନେଶ କାର୍ତ୍ତିକ ୨୭ ବଲରୁ ବିସ୍ଫୋରକ ୫୫ ରନ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୩୧ ବଲରୁ ୪୬ ରନ କରି ଅଳ୍ପକେ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ଇଶାନ କିଷନ ୨୭ ଓ ଅଧିନାୟକ ରିଷଭ ପନ୍ତଙ୍କ ଉପଯୋଗୀ ୧୭ରନ ବଳରେ ଭାରତର ଦଳୀୟ ସ୍କୋର ଦେଢଶହ ରନ ଟପିଥିଲା ।

କେବଳ ବ୍ୟାଟିଂ ନୁହେଁ ଭାରତ ବୋଲିଂରେ ମଧ୍ୟ କମାଲ ଦେଖାଇ ଦକ୍ଷିଣ ଆଫ୍ରିକାର ପାଳିକୁ ୯୦ରନ ମଧ୍ୟ ପୂରଣ କରିବାକୁ ଦେଲା ନାହିଁ । ଆବେଶ ଖାନ ଚମକ୍ରାର ବୋଲିଂ ଜରିଆରେ ୪ ୱିକେଟ ଦଖଲ କରି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ । ଦକ୍ଷିଣ ଆଫ୍ରିକା ଟିମ୍ ୧୬ ଓଭର ୫ ବଲ ଖେଳି ମାତ୍ର ୮୭ ରନ କରିପାରିଛି । ଦକ୍ଷିଣ ଆଫ୍ରିକାର କେବଳ ୩ଟି ବ୍ୟାଟ୍ସମ୍ୟାନକୁ ଛାଡିଦେଲେ କେହି ଦୁଇ ଅଙ୍କ ଛୁଇଁପାରିନଥିଲେ ।