ହ୍ୟାଲୋ… ସ୍କୁଲରେ ଟାଇମ ବୋମା ଖଞ୍ଜିଛୁ । ମୁମ୍ବାଇର ଧୀରୁଭାଇ ଅମ୍ବାନୀ ସ୍କୁଲକୁ ବିସ୍ଫୋରଣରେ ଉଡାଇବାକୁ ଆସିଲା ଧମକପୂର୍ଣ୍ଣ କଲ୍ ।

80

କନକ ବ୍ୟୁରୋ : ମୁମ୍ବାଇରେ ପୁଣିଥରେ ବୋମା ବିସ୍ଫୋରଣ ଧମକ । ମୁମ୍ବାଇର ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକପୂର୍ଣ୍ଣ କଲ ମିଳିଛି । ଏହି ଅଜ୍ଞାତ କଲରେ ସ୍କୁଲକୁ ବିସ୍ଫୋରଣରେ ଉଡାଇବାକୁ ଧମକ ଦିଆଯାଇଛି । ଏପରିକି ଫୋନ୍ କରି ଅଜଣା ବ୍ୟକ୍ତି ଜଣକ କହିଥିଲେ, ସ୍କୁଲରେ ଟାଇମ ବମ୍ ଲାଗିଛି । ଆଉ ଏହା କହିବା ପରେ ତୁରନ୍ତ ଫୋନ୍ କାଟି ଦେଇଥିଲେ । ଏହି କଲର ସୂଚନା ମିଳିବା ମାତ୍ରେ ସ୍କୁଲ ଭିତରେ ଭୟର ବାତାବରଣ ଖେଳି ଯାଇଥିଲା । ତେବେ ସଙ୍ଗେ ସଙ୍ଗେ ଏନେଇ ପୋଲିସକୁ ସୂଚନା ଦିଆଯାଇଥିଲା ।

ମୁମ୍ବାଇ ପୋଲିସର ସୂଚନା ମୁତାବକ, ଅପରାହ୍ନ ସାଢେ ୪ଟାରେ ସ୍କୁଲର ଲ୍ୟାଣ୍ଡଲାଇନକୁ ଏକ ଧମକପୂର୍ଣ୍ଣ କଲ ଆସିଥିଲା । କଲ କରିଥିବା ବ୍ୟକ୍ତି ଜଣକ କହିଥିଲେ ସ୍କୁଲରେ ଟାଇମ ବମ୍ ଲାଗିଛି । ଆଉ ଏହା କହିବା କ୍ଷଣି ଫୋନ୍ କାଟି ଦେଇଥିଲେ । ତେବେ ଏନେଇ ସ୍କୁଲ ପକ୍ଷରୁ ସୂଚନା ମିଳିବା ପରେ ଏକ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି ମୁମ୍ବାଇ ପୋଲିସ । ତେବେ ପ୍ରାଥମିକ ତଦନ୍ତରୁ ପୋଲିସ ଉକ୍ତ କଲକୁ ଟ୍ରେସ୍ କରିଥିବା ବେଳେ ଫୋନ୍ କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବାକୁ ପ୍ରୟାସ ଜାରି ରଖିଛି । ଏହାପୂର୍ବରୁ ମୁମ୍ବାଇର ରିଲାଏନ୍ସ ଫାଉଣ୍ଡେସନର ହସ୍ପିଟାଲକୁ ମଧ୍ୟ ଧମକପୂର୍ଣ୍ଣ କଲ ଆସିଥିଲା । ହସ୍ପିଟାଲକୁ ବୋମାରେ ଉଡାଇ ଦେବାକୁ ଧମକ ଦେଇଥିଲେ ।