ନବୋଦୟ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ବଣ୍ଟନରେ ବିଭ୍ରାଟ: ଓଡିଆ ଛାତ୍ରଙ୍କୁ ମିଳିଲା ତେଲଗୁ ପ୍ରଶ୍ନପତ୍ର

283

କନକ ବ୍ୟୁରୋ: ନବଦୋୟ ପ୍ରବେଶିକା ପରୀକ୍ଷାରେ ଦେଖାଦେଇଛି ପ୍ରଶ୍ନପତ୍ର ବିଭ୍ରାଟ । ଓଡିଆ ମାଧ୍ୟମରେ ପରିକ୍ଷା ଦେବାପାଇଁ ଅନଲାଇନରେ ଆବେଦନ କରିଥିବା ଛାତ୍ରଙ୍କୁ ମିଳିଲା ତେଲୁଗୁ ପ୍ରଶ୍ନପତ୍ର । ପରୀକ୍ଷାରେ ଲେଖିନପାରି ଫେରିଲେ ଛାତ୍ର ଚିନ୍ତାରେ ଅଭିଭାବକ ଓ ଛାତ୍ର । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଜରିଆବରେଇ ଗ୍ରାମରେ ଦେଖିବାକୁ ମିଳିଛି ଏପରି ନିଆରା ଘଟଣା । ସୁଚନା ମୁତାବକ ବନିତା ସ୍ବାଇଁଙ୍କ ପୁଅ ଜରିଆବରେଇ ପ୍ରାଥମିକ ବିଦ୍ୟାଳୟରେ ୫ମ ଶ୍ରେଣୀରେ ପାଠ ପଢୁଛନ୍ତି ଦିବ୍ୟରଂଜନ ସ୍ବାଇଁ ଚଳିତ ବର୍ଷ ନବୋଦୟ ପ୍ରବେଶିକା ପରୀକ୍ଷାରେ ଦେବାପାଇଁ ଅନଲାଇନରେ ଆବେଦନ କରିଥିଲେ । ଆବେଦନ ସମୟରେ ଓଡିଆ ମାଧ୍ୟମରେ ପରୀକ୍ଷା ଦେବାପାଇଁ ଆବେଦନ କରିବା ପରେ ଆଡମିଟକାର୍ଡରେ ମଧ୍ୟ ଓଡିଆ ମାଧ୍ୟମରେ ପରୀକ୍ଷା ଦେବାପାଇଁ ଅନୁମତି ମିଳିଥିଲା । ହେଲେ ମାର୍ଶାଘାଇ ବ୍ଲକ୍ ଅନ୍ତର୍ଗତ ମଧୁସାଗର ବିଦ୍ୟାପିଠରେ ତାଙ୍କର ସେଣ୍ଟର ପଡିଥିଲା ପରୀକ୍ଷା ହଲରେ ତାଙ୍କୁ ଓଡିଆ ବଦଳରେ ତେଲୁଗୁ ପ୍ରଶ୍ନପତ୍ର ଦିଆଯାଇଥିବାର ଅଭିଯୋଗ କରିଛନ୍ତି ଦିବ୍ୟ ଓ ତାଙ୍କର ମା ।

ଏବିଷୟରେ ସେ ପରୀକ୍ଷା କେନ୍ଦ୍ର ପରିଚାଳକଙ୍କୁ ଜଣାଇଥିଲେ ମଧ୍ୟ ଯାହା ପ୍ରଶ୍ନପତ୍ର ଆସିଛି ଆମେ ଦେଇଛୁ ବୋଲି ପରୀକ୍ଷା କେନ୍ଦ୍ର ପରିଚାଳକ କହିଥିଲେ ବୋଲି ଅଭିଯୋଗ କରିଛନ୍ତି ଦିବ୍ୟଙ୍କ ମା ଓ ନିଜେ ଦିବ୍ୟ। ଓଡିଆ ବଦଳରେ ତେଲୁଗୁ ପ୍ରଶ୍ନପତ୍ର ପାଇ ଛାତ୍ର ଜଣଙ୍କ ବିଚଳିତ ହୋଇପଡିବା ସହିତ ପରିକ୍ଷାରେ ଦେଇନପାରି ମନଦୁଖରେ ଫେରିବା ପରେ ସମସ୍ତ ଘଟଣା ତାଙ୍କର ଅଭିଭାବକଙ୍କୁ ଜଣାଇଥିଲେ । ଦିବ୍ୟ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ପ୍ରଶ୍ନପତ୍ର ବିଭ୍ରାଟ ଯୋଗୁ ପରିକ୍ଷାରେ ଲେଖିନପାରିବା ଯୋଗୁ ନବୋଦୟ ପ୍ରେବଶ ଆଶା ଧୁଳିସାତ ହୋଇଛି ବୋଲି ଅଭିଯୋଗ କରିଛନ୍ତି ଅବିଭାବକ। ଓଡିଆ ମାଧ୍ୟମରେ ପରିକ୍ଷା ଦେବାପାଇଁ ଆବେଦନ କରିବା ସତ୍ବେ ବଦଳରେ ତେଲୁଗୁ ପ୍ରଶ୍ନପତ୍ର ମିଳିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ଦିବ୍ୟା ମା ଗରଦପୁର ବ୍ଲକରେ ହୋଇଥିବା ଜନଶୁଣାଣୀ ଶିବିରେ ପହଞ୍ଚି ଅଭିଯୋଗ କରିଛନ୍ତି। ଏବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀଣିଙ୍କ ମତାମତ ନେବାରୁ ତଦନ୍ତ ପରେ ଘଟଣା ବିଷୟରେ ଜଣାପଡିବ ବୋଲି ସୁଚନା ଦେଇଛନ୍ତି। ନବଦୋୟ ଛାତ୍ରଙ୍କୁ ଓଡିଆ ବଦଳରେ ତେଲୁଗୁ ପ୍ରଶ୍ନପତ୍ର ମିଳିବା ଘଟଣାର ତଦନ୍ତ କରି ଛାତ୍ରଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଦିବ୍ୟ ଓ ତାଙ୍କର ମା ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି।