କ୍ରୀଡ଼ାରେ ଉତ୍କର୍ଷ ପାଇଁ ପୁରସ୍କାର : କ୍ରୀଡା ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ଓ ଜାତୀୟ ସ୍ତରର ପଦକ ବିଜେତାଙ୍କ ଭତ୍ତା ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

222

କନକ ବ୍ୟୁରୋ : ବଢ଼ିଲା ଖେଳାଳିଙ୍କ ଭତ୍ତା । ୫ଟି କାର୍ଯ୍ୟକ୍ରମ ଅନୁସାରେ କ୍ରୀଡା ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ଏବଂ ଜାତୀୟସ୍ତରରେ ପଦକ ବିଜେତାଙ୍କ ପାଇଁ ଭତ୍ତା ବୃଦ୍ଧି ବିଷୟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କ୍ରୀଡା ହଷ୍ଟେଲରେ ଝିଅଙ୍କ ପାଇଁ ମାସିକ ଭତ୍ତାକୁ ୨୦୦ ଟଙ୍କାରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଅନ୍ୟପଟେ ପୁଅମାନଙ୍କ ପାଇଁ ଭତ୍ତା ମାସିକ ୩୦୦ ଟଙ୍କାକୁ ବୃଦ୍ଧି କରାଗଲା । ଜାତୀୟ କ୍ରୀଡ଼ା ଫେଡେରେସନ୍ ଦ୍ବାରା ସ୍ବୀକୃତି ପ୍ରାପ୍ତ ବା ତତୁଲ୍ୟ ସ୍ତରର କ୍ରୀଡା ପ୍ରତିଯୋଗୀତାରେ ଭାଗ ନେବା ପାଇଁ ସହର ବାହାରକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଦୈନିକ ୩୦୦ ଟଙ୍କା ଭତ୍ତା ଦିଆଯିବ।

ଜାତୀୟ ସ୍ତରର ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା କ୍ରୀଡାବିତ୍ମାନଙ୍କୁ ଏକ ବର୍ଷ ପାଇଁ ମାସିକ ୧୦୦୦ ଟଙ୍କା ଏବଂ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିବା କ୍ରୀଡାବିତ୍ମାନଙ୍କୁ ମାସିକ ଯଥାକ୍ରମେ ୫୦୦ ଓ ୩୦୦ ଟଙ୍କା ଏକ ବର୍ଷ ପାଇଁ ଭତ୍ତା ଦିଆଯିବ । କ୍ରୀଡା ହଷ୍ଟେଲରେ ରହିଥିବା ଛାତ୍ର ଓ ଛାତ୍ରୀମାନେ ସେମାନଙ୍କ ମାସିକ ଭତ୍ତା ସହିତ ଏହି ଅତିରିକ୍ତ ଭତ୍ତା ପାଇପାରିବେ  । ପଦକ ଜିତିଥିବା ଜଣେ କ୍ରୀଡାବିତ୍ ଏକ ଜାତୀୟ ରେକର୍ଡ ସୃଷ୍ଟି କରନ୍ତି ଏବଂ ସେହି ରେକର୍ଡ ଏକବର୍ଷ ମଧ୍ୟରେ ଭଙ୍ଗ ନହୁଏ, ତେବେ ସେହି କ୍ରୀଡାବିତଙ୍କୁ ଏକବର୍ଷ ପର୍ଯ୍ୟନ୍ତ ମାସିକ ୫୦୦୦ ଟଙ୍କା ଅତିରିକ୍ତ ଭତ୍ତା ଦିଆଯିବ ।

ଜାତୀୟ ଦଳରେ ଭାଗ ନେବା ପାଇଁ ମନୋନୀତ କ୍ରୀଡାବିତ୍ମାନଙ୍କୁ ମଧ୍ୟ ଏକ ବର୍ଷ ପାଇଁ ମାସିକ ୧୦୦୦ ଟଙ୍କା ଲେଖାଏଁ ଭତ୍ତା ମିଳିବ । କ୍ରୀଡା ବିଭାଗର କୋଚ୍ ମାନଙ୍କ ପାଇଁ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପାରଦର୍ଶିତା ଭିତ୍ତିରେ କ୍ରୀଡା ବିଭାଗ ଏକ ସ୍ବତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ନୀତି ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।