ଦିଲ୍ଲୀରେ ବନ୍ୟା ବିତ୍ପାତ । ଲାଲକିଲ୍ଲାରେ ପଶିଲା ବନ୍ୟା ଜଳ, ରାସ୍ତା ଉପରକୁ ଉଠିଲା ପାଣି । ଅଟକି ରହିଛି ହଜାର ହଜାର ଗାଡି । 

150

କନକ ବ୍ୟୁରୋ : ହିମାଚଳପ୍ରଦେଶରେ ବନ୍ୟା ବିତ୍ପାତ ପରେ ଏବେ ଦିଲ୍ଲୀର ଜଳପ୍ରଳୟ । ପ୍ରବଳ ବର୍ଷାରେ ଜଳମଗ୍ନ ହୋଇପଡ଼ିଛି ଦେଶର ରାଜଧାନୀ ଦିଲ୍ଲୀ । ଦିଲ୍ଲୀର ଯମୁନା ନଦୀର ଜଳସ୍ତର ୪୫ ବର୍ଷର ରେକର୍ଡ ଭାଙ୍ଗିଛି । ଦିଲ୍ଲୀରେ ଯମୁନା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏହାର ବିପଦ ସଙ୍କେତ ୨୦୫ ଦଶମିକ ୩୩ ମିଟର ରହିଥିବା ବେଳେ ବର୍ତମାନ ଜଳସ୍ତର ୨୦୮ ଦଶମିକ ୪୧ ମିଟରରେ ପହଂଚିଛି । ଯଦି ପୁଣି ଜଳସ୍ତର ବୃଦ୍ଧି ହୁଏ ତେବେ ଦିଲ୍ଲୀରେ ସାଂଘାତିକ ସ୍ଥିତି ସୃଷ୍ଟି ହେବ । ଯମୁନା ନଦୀରେ ଜଳସ୍ତର ବୃଦ୍ଧି କାରଣରୁ ଦିଲ୍ଲୀର ବିଭିନ୍ନ ରାସ୍ତାରେ ବନ୍ୟା ଜଳ ଲହରୀ ଭାଙ୍ଗୁଥିବା ବେଳେ ରାଜଘାଟ, ଆଇଟିଓ, କଶ୍ମୀର ଗେଟ ଅଞ୍ଚଳରେ ମଧ୍ୟ ବନ୍ୟା ଜଳ କଲବଲ କରୁଛି । ଏହାଭିତରେ ଲାଲକିଲ୍ଲାର ପଛ ପାଶ୍ୱର୍ରେ ମଧ୍ୟ ବନ୍ୟା ଜଳ ପଶିବା ଆରମ୍ଭ କରୀଛି । ପୁରୁଣା ଦିଲ୍ଲୀକୁ ଯାଉଥିବା ରାସ୍ତା ଜଳମଗ୍ନ ହୋଇଯିବା କାରଣରୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ସେହିଭଳି ବଜିରାବାଦ ପାନୀୟ ଜଳ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ବନ୍ୟା ଜଳ ପଶିବା କାରଣରୁ ପ୍ଲାଣ୍ଟକୁ ବନ୍ଦ କରାଯାଇଛି । ତେଣୁ ଆଗକୁ ପାନୀୟ ଜଳ ସମସ୍ୟା ଦେଖାଦେଇପାରେ । ବିପଦକୁ ଦୃଷ୍ଟିରେ ରଖି ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫକୁ ନିୟୋଜିତ କରାଯାଇଛି । ଜଳମଗ୍ନ ହୋଇଥିବା ଅଞ୍ଚଳରୁ ଏନଡିଆରଏଫ ଟିମ୍ ଲୋକଙ୍କୁ ଉଦ୍ଧାର କରୁଛନ୍ତି । ବନ୍ୟା ସ୍ଥିତି ଏତେ ସାଂଘାତିକ ହୋଇଛି ଯେ, ରାସ୍ତାଘାଟ ବୁଡିବା କାରଣରୁ ଟ୍ରାଫିକ ସମସ୍ୟା ଭୟଙ୍କର ହୋଇଛି । ବିଭିନ୍ନ ରାସ୍ତାରେ ହଜାର ହଜାର ଗାଡି ଅଟକି ରହିଛି । ଯେଉଁଥିପାଇଁ ଲୋକଙ୍କୁ ଘରୁ ବାହାରିବା ପୂର୍ବରୁ ଟ୍ରାଫିକ ସ୍ଥିତି ବାବଦରେ ଜାଣିବାକୁ କୁହାଯାଉଛି । କିଛି ସ୍ଥାନରେ ଟ୍ରାଫିକ ରୁଟକୁ ଡାଇର୍ଭଟ କରାଯାଇଥିବା ବେଳେ କିଛି ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି ।