‘ଯିଏ ଦେଶକୁ ଭଲପାଏ, ସେ ଜନ୍ତର ମନ୍ତର ଆସନ୍ତୁ…’ କୁସ୍ତିଯୋଦ୍ଧାଙ୍କ ପ୍ରଦର୍ଶନସ୍ଥଳୀରେ ପହଞ୍ଚିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କହିଲେ ଏମିତି କିଛି କଥା…

86

କନକ ବ୍ୟୁରୋ: କୁସ୍ତି ସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରଜଭୂଷଣ ସିଂହଙ୍କ ବିରୋଧରେ ଯୌନଶୋଷଣର ଅଭିଯୋଗ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ କରୁଛନ୍ତି ଦେଶର କୁସ୍ତି ଯୋଦ୍ଧା । ଶନିବାର ଦିନ ଏହି ଧାରଣା ନିଜର ସପ୍ତମ ଦିନରେ ପହଞ୍ଚିଛି । ତେବେ ଶନିବାର କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜନ୍ତର ମନ୍ତରରେ ପହଞ୍ଚି କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନା କରିବା ସହିତ ତାଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି ।

କେଜ୍ରିୱାଲ କହିଛନ୍ତି, ପାଖାପାଖି ଏକ ସପ୍ତାହ ହୋ ଦେଶର କୁସ୍ତିଯୋଦ୍ଧାମାନେ ପ୍ରଦର୍ଶନ କରୁଛନ୍ତି । କାହିଁକି ନା ବିଜେପିର ବାହୁବଳୀ ନେତା ତାଙ୍କ ପ୍ରତି ଦୁଃବ୍ୟବହାର କରିଛନ୍ତି । ତେବେ କୌଣସି ବି ଭଉଣୀ କିମ୍ବା ଝିଅଙ୍କ ପ୍ରତି ଖରାପ କାମ କରିଥିବା ଲୋକଙ୍କୁ ତୁରନ୍ତ ଫାଶୀରେ ଝୁଲେଇ ଦେବା ଦରକାର ବୋଲି କେଜ୍ରିୱାଲ କହିଛନ୍ତି । ତେବେ ଦୁଃଖର କଥା ଏହା ଯେ, ଯେଉଁ ଝିଅମାନେ ଦେଶ ପାଇଁ ସୁନାମ ଆଣିଥିଲେ, ତାଙ୍କୁ ନ୍ୟାୟ ପାଇଁ ଲଢେଇ ଲଢିବାକୁ ପଡୁଛି ।

କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ଲୋକମାନେ ଦେଶକୁ ଭଲପାଉଛନ୍ତି । ସେମାନେ ନିଶ୍ଚୟ ଏହି କୁସ୍ତିଯୋଦ୍ଧାଙ୍କ ସହ ଠିଆ ହେବେ । ଦେଶର ପ୍ରତିଟି ଲୋକ ଏମାନଙ୍କୁ ସମର୍ଥନ ଜଣାଇବାକୁ କେଜ୍ରିୱାଲ କହିଛନ୍ତି । କୁସ୍ତିଯୋଦ୍ଧାମାନଙ୍କୁ ସମର୍ଥନ ଜଣାଇବା ସହିତ ଜନ୍ତର ମନ୍ତରରେ ପହଞ୍ଚିବାକୁ ଦାବି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏଥିସହ କେନ୍ଦ୍ର ସରକାର ମଧ୍ୟ ଏହି ପ୍ରଦର୍ଶନକାରୀ କୁସ୍ତିଯୋଦ୍ଧାଙ୍କୁ ପାଣି, ବିଜୁଳି ଓ ଅନ୍ୟ ସୁବିଧା ଦେବାକୁ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଶନିବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଜନ୍ତର ମନ୍ତରରେ ପହଞ୍ଚିଥିଲେ । କୁସ୍ତିଯୋଦ୍ଧାଙ୍କ ପ୍ରତି ସମର୍ଥନ ଜଣାଇବା ସହିତ ଖେଳାଳିଙ୍କ ସହ ଆଲୋଚନା କରିଥିଲେ ପ୍ରିୟଙ୍କା । ଏହି ସମୟରେ ମହିଳା କୁସ୍ତିଯୋଦ୍ଧାମାନେ ଭାବବିହ୍ୱଳ ହେଇପଡିଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ଏହି ଘଟଣାରେ ମାମଲା ରୁଜୁ ହେବା ପରେ ସାମ୍ନାକୁ ଆସିଛି ବ୍ରିଜ୍ ଭୂଷଣଙ୍କ ପ୍ରତିକ୍ରିୟା । ନିଜ ବିରୋଧର ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟ ବୋଲି ସଫେଇ ରଖିଛନ୍ତି ବ୍ରିଜଭୁଷଣ । ତାଙ୍କ ଉପରେ ଲାଗିଥିବା ଆରୋପ ଭିତ୍ତିହୀନ । ଖେଳାଳିମାନେ ଚଲାଇଥିବା ଏହି ଧାରଣା ଏକ ଷଡ଼ଯନ୍ତ୍ର । ସେ ଅପରାଧୀ ନୁହଁନ୍ତି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।ସୁପ୍ରିମକୋର୍ଟଙ୍କ ତାଗିଦ ପରେ କନ୍ନଟ ପ୍ଲେସ ଥାନାରେ ବ୍ରିଜଭୂଷଣଙ୍କ ବିରୋଧରେ ୨ଟି ଏଫଆଇଆର ରୁଜୁ କରିଛି ଦିଲ୍ଲୀ ପୁଲିସ୍ । ଗୋଟିଏ ଏଫଆଇଆର ପକସୋ ଆକ୍ଟରେ କରାଯାଇଥିବାବେଳେ, ଦ୍ୱିତୀୟ ଏଫଆଇଆରଟି ଅନ୍ୟ କୁସ୍ତି ଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ହୋଇଛି । ବ୍ରିଜଭୂଷଣଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଏଫଆଇଆର ରୁଜୁ କରୁନଥିବାରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କୁସ୍ତିଯୋଦ୍ଧା । ତାପରେ କୋର୍ଟ ଦିଲ୍ଲୀ ପୁଲିସକୁ ନୋଟିସ କରିଥିଲେ । ଅଭିଯୋଗ କରିବା ସତ୍ୱେ କଣ ପାଇଁ ମାମଲା ରୁଜୁ କରାଯାଇନି ବୋଲି ପ୍ରଶ୍ନ କରିଥିଲେ କୋର୍ଟ । ଏହାର ଜବାବ ରଖି ଦିଲ୍ଲୀ ପୁଲିସ କହିଥିଲା କୌଣସି ଏତଲା ପୂର୍ବରୁ ପ୍ରାରମ୍ଭିକ ତଦନ୍ତର ଆବଶ୍ୟକତା ରହିଛି । ଆନ୍ଦୋଳନକାରୀ କୁସ୍ତିଯୋଦ୍ଧା କହିଛନ୍ତି ଦିଲ୍ଲୀ ପୁଲିସ ଉପରେ ତାଙ୍କର ଭରସା ନାହିଁ ।