ଫିଟୁନି ସମାଧାନର ବାଟ, ୬୬ ଦିନରେ ଦୀପିକାଙ୍କ ଧାରଣା ଜାରି। 

106

କନକ ବ୍ୟୁରୋ: ୬୬ଦିନରେ ଦୀପିକାଙ୍କ ଧାରଣା । ଫୁଟୁନି ସମାଧାନର ବାଟ । ପତ୍ନୀର ମାନ୍ୟତା ଦାବି କରି ପ୍ରେମିକ ଘର ଆଗରେ ୬୬ ଦିନ ହେଲା ଧାରଣାରେ ବସିଥିବା ଦୀପିକା ଏବେ ବି ସେମିତି ଧାରଣାରେ ବସିଛନ୍ତି । ଘର ଭିତରେ ପ୍ରେମିକଙ୍କ ବାପା-ମା ଓ ପରିବାର ଲୋକ ଥିବାବେଳେ ବାହାରେ ବସିଛନ୍ତି ଦୀପିକା । ମଝିରେ ମଝିରେ ଗେଟ ଖୋଲି ଦୀପିକା ବସିଥିବା ବାଟ ଦେଇ ବାହାରକୁ ଯାଉଛନ୍ତି ପ୍ରେମିକ ଦୀନେଶଙ୍କ ବାପା-ମା । ହେଲେ, ସମାଧାନର ବାଟ ବାହରୁନି । ଆଉ ଯେତେଦିନ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ନମିଳିଛି, ସେତେଦିନ ପର୍ଯ୍ୟନ୍ତ ସେ ଏମିତି ବସିଥିବେ ବୋଲି କହିଛନ୍ତିି ଦୀପିକା ।

ଗୁରୁବାରର ଘଟଣାକୁ ନେଇ ବ୍ରହ୍ମପୁର ବଡବଜାର ଥାନାରେ ଅଭିଯୋଗ କରିଛନ୍ତି ଦୀପିକା । ସେ ଆଶ୍ରୟ ନେଇଥିବା ପାଲକୁ ଚିରିଦେବା ସହ ତାଙ୍କୁ ମାଡ ମରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି । ଆଉ ଏତଲା ଆଧାରରେ ଧାରଣାସ୍ଥଳକୁ ପୋଲିସ ଆସି ତଦନ୍ତ କରିବା ସହ କେ ଦିନେଶଙ୍କ ବାପା କେ. ଦିଲ୍ଲୀପ କୁମାର ଓ ମାଆ କେ ବିଟାଶ୍ରୀଙ୍କୁ ଥାନାକୁ ଡକାଇ ପଚରାଉଚୁରା କରିଛି । ଦୀପିକାଙ୍କ ମଧ୍ୟ ପୋଲିସ ପଚରାଉଚୁରା କରିଥିବା ଜଣାପଡିଛି ।

ଦୀପିକା ଧାରଣାରେ ବସିଥିବାବେଳେ କିଛି ଦିନ ହେବ ଘର ଛାଡି ବାହାରକୁ ଚାଲିଯାଇଥିଲେ ଦୀନେଶଙ୍କ ପରିବାର । ହେଲେ, ଗତକାଲି ଫେରିଆସି ଦୀପିକା ଟାଙ୍ଗିଥିବା ପାଲକୁ ଚିରି ଫୋପାଡି ଦେଇଥିଲେ । ଏହାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ହେଲେ, ଏହାରି ଭିତରେ ନୂଆ ଚାଲ ଖେଳିଛନ୍ତି ଦୀନେଶଙ୍କ ମାଆ । କହିଛନ୍ତି, ସେ ଦୀନେଶଙ୍କୁ ମଧ୍ୟ ଘରୁ ବାହାର କରିଦେଇଛନ୍ତି । ତେଣୁ ସେମାନେ ତାଙ୍କ କଥା ବୁଝିବେ ।

ଦୀପିକା ଓ ଦୀନେଶ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଉଭୟ ପରସ୍ପରକୁ ଭଲ ପାଉଥିଲେ । ହେଲେ, ପରବର୍ତି ସମୟରେ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା । ବିବାଦ ଥାନାରେ ପହଁଚିଥିଲା । ଦୀପିକାଙ୍କ ଅଭିଯୋଗ ଆଧାରରେ ଦୀନେଶ ଜେଲକୁ ଯାଇଥିଲେ । ଆଉ ଜେଲରୁ ଫେରିବା ପରେ ଦୀନେଶ ଦୀପିକାଙ୍କୁ ଧରାଛୁଆଁ ଦେଇନଥିଲେ । ଏହା ଭିତରେ ଦୀପିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଆଉ ସେହି ପିଲାର ବାପା ଦୀନେଶ ବୋଲି ଦୀପିକା ଦାବି କରିଆସୁଛନ୍ତିି ।