ବର୍ଷେ ବିତିଗଲା, ଆସନ୍ତାକାଲିଠୁ କିନ୍ତୁ ମାଫ୍ ନାହିଁ । ବନ୍ଦ ହେବ ପ୍ଲାଷ୍ଟିକ, ସମସ୍ତ ସହରାଞ୍ଚଳରେ ପଲିଥିନ ବ୍ୟାନ୍ କଡାକଡି କରିବାକୁ ସରକାରଙ୍କ ନିଷ୍ପତି ।

973

କନକ ବ୍ୟୁରୋ : ଆସନ୍ତାକାଲି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ବନ୍ଦ ହେବ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ । ଥରେ ବ୍ୟବହାର ହେଉଥିବା ଥର୍ମକୁଲ ଉପରେ ମଧ୍ୟ କଟକଣା ଲାଗିଛି । ଆସନ୍ତାକାଲି ଠାରୁ ଏହାର ବ୍ୟବହାର କରି ଧରାପଡିଲେ ଆପଣ ଦଣ୍ଡିତ ହୋଇପାରନ୍ତି । ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଉତ୍ପାଦନ କଲେ ଓ ମହଜୁଦ ରଖିଲେ ଆପଣଙ୍କୁ ୧ଲକ୍ଷ ଟଙ୍କା ଯାଏଁ ଫାଇନ ଦେବାକୁ ପଡିପାରେ । ଏଥିସହ ୫ବର୍ଷ ଜେଲ ମଧ୍ୟ ହୋଇପାରେ ।

ଗାନ୍ଧି ଜୟନ୍ତୀ ଅର୍ଥାତ ଅକ୍ଟୋବର ୨ ତାରିଖରୁ ଆପଣଙ୍କୁ ସତର୍କ ରହିବାକୁ ପଡିବ । ଯଦି ପରିବା କିମ୍ବା ଘରୋଇ ସାମଗ୍ରୀ କିଣିବାକୁ ଯାଉଛନ୍ତି, ତେବେ ଘରୁ ବ୍ୟାଗ ନେବାକୁ ଭୁଲନ୍ତୁ ନାହିଁ । କାରଣ ଆସନ୍ତାକାଲି ଠାରୁ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକକୁ ନିଷିଦ୍ଧ କରାଯାଇଛି । ଆର୍ଥାତ ପିଇବା ପାଣି ପାଉଚ୍, ଛୋଟ ପାଣି ବୋତଲ, ପଲିଥିନ୍ ବ୍ୟାଗ୍, ଡିସ୍ପୋଜେବଲ ପ୍ଲାଷ୍ଟିକ କପ୍, ପ୍ଲେଟ୍, ଗ୍ଲାସ, ବାଉଲ ଓ ଚାମଚ । ଏଥିସହ ଥର୍ମୋକୁଲ କପ୍, ପ୍ଲେଟ୍, ଗ୍ଲାସ ଓ ବାଉଲ ଉପରେ ମଧ୍ୟ କଟକଣା ଲଗାଯାଇଛି । ହୋଟେଲରେ ଖାଦ୍ୟ ପ୍ୟାକିଙ୍ଗ ପାଇଁ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଡିସ୍, ମୃଦୁ ପାନୀୟରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଷ୍ଟ୍ର ମଧ୍ୟ ନିଷିଦ୍ଧ ହୋଇଛି । ବିବାହ ,ବ୍ରତ ଘରରେ ଥର୍ମୋକୁଲରେ ସାଜସଜ୍ଜା ମଧ୍ୟ ବନ୍ଦ ହେବ । ସର୍ବସାଧାରଣ ସ୍ଥାନକୁ ମଧ୍ୟ ଲୋକେ ପଲିଥିନ ନେଇ ଯାଇପାରିବେନାହିଁ ।

କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ଦ୍ୱାରା ପ୍ରଣିତ ପରିବେଶ ସୁରକ୍ଷା ଆଇନ -୧୯୮୬ ଅନୁଯାୟୀ ସାରା ଦେଶରେ ଗାନ୍ଧିଜୟନ୍ତୀରୁ ବ୍ୟାନ ହେବାକୁ ଯାଉଛି ପ୍ଲାଷ୍ଟିକ ପଲିଥିନ । ଏହି ପରିପ୍ରେକ୍ଷୀରେ ଓଡିଶାରେ ମଧ୍ୟ ଏହି ଆଇନ ଆସନ୍ତାକାଲି ଠାରୁ ଲାଗୁ ହେବାକୁ ଯାଉଛି । ପ୍ରଥମେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଓ ପୁରୀ ପୌରନିଗମରେ କାର୍ଯ୍ୟକାରୀ ହେବ ଏହି ନିୟମ ।
• କୌଣସି ବ୍ୟକ୍ତି ଜାଣତରେ ହେଉ ଅବା ଅଜାଣତରେ ପ୍ଲାଷ୍ଟିକ ପଲିଥିନର ବିକ୍ରି , ବ୍ୟବସାୟ ବା ବଂଟନ କରିପାରିବେ ନାହିଁ
• ଯେ କୌଣସି ଆକାର, ମୋଟେଇ ଓ ପରିମାପର ପଲିଥିନ ବ୍ୟବହାର ହୋଇପାରିବ ନାହିଁ ।
• ୨୦୦ ମିଲିଲିଟର କ୍ଷମତାରୁ କମ ପାଣି ବୋତଲକୁ ନିଷିଦ୍ଧ କରାଯାଇଛି
• ଏକକ ବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀ ଉପରେ କଟକଣା
• ପ୍ଲାଷ୍ଟିକ ଫୁଲ ଓ ସାଜସଜ୍ଜା ସାମଗ୍ରୀ ଉପରେ କଟକଣା

ପଲିଥିନ ଏବଂ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ସାମଗ୍ରୀ ମହଜୁଦ ରଖିଥିବା ବ୍ୟକ୍ତିଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ । ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହା ଉପରେ ନଜର ରଖିବେ । ଧରାପଡିଲେ ଏକ ଲକ୍ଷ ଟଙ୍କାର ଜରିମାନା ସହିତ ୫ବର୍ଷ ଜେଲ ହେବାର ସମ୍ଭାବନା ରହିଛି । କୌଣସି ବ୍ୟକ୍ତିବିଶେଷ ପ୍ଲାଷ୍ଟିକ ପଲିଥିନର ବ୍ୟବହାର କରୁଥିବା ନେଇ ଧରାପଡିଲେ, ସହରାଂଚଳ ବିକାଶ ମନ୍ତ୍ରଣାଳୟ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ।

୨୦୧୮ ମସିହାରୁ ରାଜ୍ୟରେ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଉପରେ କଟକଣା ଲାଗୁ ହେବା ନେଇ ଜାରି ହୋଇଥିଲା ନୋଟିଫିକେସନ । ଏକବର୍ଷ ପରେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରିନଥିଲା । ଏବେ ପୁଣି ଆସିଛି ନୋଟିଫିକେସନ । ଦେଖିବାର କଥା ସାରାବିଶ୍ୱ ପାଇଁ ଚିନ୍ତାଜନକ ବିଷୟ ହୋଇଥିବା ଏହି ପ୍ଲାଷ୍ଟିକର ବ୍ୟବହାର କେତେ କମୁଛି ।