ଦିଲ୍ଲୀରେ ପୁଣି ବଢିଲା ସଂକ୍ରମଣ : ୨୪ ଘଂଟାରେ ୬୩୨ ନୂଆ ମାମଲା ଚିହ୍ନଟ

126

କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀରେ କରୋନାର ନୂଆ ମାମଲା ସଂଖ୍ୟା ଲଗାତର ବଢ଼ୁଛି । ଗତ ୨୪ ଘଂଟା ମଧ୍ୟରେ ଦିଲ୍ଲୀରେ ନୂଆ ଆକ୍ରାନ୍ତଙ୍କ ୬୦୦ ଅତିକ୍ରମ କରିଛି । ଏଥିସହ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୯୦୦ ଟପିଛି । ଦିଲ୍ଲୀରେ ଗତ ୨୪ ଘଂଟା ମଧ୍ୟରେ ୬୩୨ ନୂଆ ମାମଲା ସାମ୍ନାକୁ ଆସିଛି, ଯାହା ଫେବୃଆରୀ ୧୭ ପରେ ସର୍ବାଧିକ । ଫେବୃଆରୀ ୧୭ ତାରିଖରେ ୭୩୯ ମାମଲା ଚିହ୍ନଟ ହୋଇଥିଲା । ଦିଲ୍ଲୀରେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୯୪୭ ରହିଛି, ଯାହା ଫେବୃଆରୀ ୨୭ ତାରିଖ ପରେ ସର୍ବାଧିକ । ଫେବୃଆରୀ ୨୭ ତାରିଖରେ ୨୦୮୬ ସକ୍ରିୟ ରୋଗୀ ଥିଲେ ।

ଆଶ୍ୱସ୍ତିର କଥା ହେଲା, ଗତ ୨୪ ଘଂଟା ମଧ୍ୟରେ ଦିଲ୍ଲୀରେ କେହି ପ୍ରାଣ ହରାଇନାହାନ୍ତି ଓ ୪୧୪ ଜଣ ଠିକ୍ ହୋଇଛନ୍ତି । ଏହା ସହ ଗତ ୨୪ ଘଂଟାରେ ରାଜଧାନୀରେ ପଜିଟିଭ୍ ହାର ମଧ୍ୟ କମିଛି । ସଂକ୍ରମଣ ହାର ୭.୭୨ ପ୍ରତିଶତରୁ ହ୍ରାସ ପାଇ ୪.୪୨ ପ୍ରତିଶତ ହୋଇଛି । ସହରର ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ଦିଲ୍ଲୀରେ ଗତ ଏପ୍ରିଲ୍ ୧୧ରୁ ୧୮ ତାରିଖ ଭିତରେ ସଂକ୍ରମଣ ହାର ତିନିଗୁଣା ବୃଦ୍ଧି ପାଇଛି । ଏପ୍ରିଲ୍ ୧୧ ତାରିଖରେ ସଂକ୍ରମଣ ହାର ୨.୭୦ ପ୍ରତିଶତ ଥିଲା ବେଳେ ଏପ୍ରିଲ୍ ୧୫ରେ ଏହା ୩.୯୫ ପ୍ରତିଶତକୁ ବୃଦ୍ଧି ପାଇଥିଲା । ପରଦିନ ଅର୍ଥାତ୍ ଏପ୍ରିଲ୍ ୧୬ ରେ ପଜିଟିଭ୍ ହାର ୫.୩୩ ପ୍ରତିଶତକୁ ବୃଦ୍ଧି ପାଇ ଏପ୍ରିଲ୍ ୧୮ ତାରିଖରେ ୭.୭୨ ପ୍ରତିଶତରେ ପହଂଚିଥିଲା ।

ସେପଟେ ସଂକ୍ରମଣ ବଢ଼ୁଥିବାର ଦେଖି ସ୍କୁଲଗୁଡିକ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି ଦିଲ୍ଲୀ ସରକାର । ଜଣେ ବି କରୋନା ସଂକ୍ରମିତ ଚିହ୍ନଟ ହେଲେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ କରୋନା ସ୍ଥିତିକୁ ନେଇ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ବସିବ, ଯେଉଁଥିରେ କିଛି କିଛି ବଡ ନିଷ୍ପତି ନିଆଯାଇପାରେ । ଏହାସହ ରାଜ୍ୟ ସରକାର ସବୁ ହସପିଟାଲକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଂଟ ଉପରେ ଦିଲ୍ଲୀ ସରକାର ଗୁରୁତ୍ୱ ଦେଇଛନ୍ତି । ଆରଟି-ପିସିଆର ଟେଷ୍ଟିଂ ମଧ୍ୟ ବଢାଇବାକୁ ନିର୍ଦ୍ଦେଶ ହୋଇଛି । ଏଥିସହିତ ସମସ୍ତଙ୍କୁ ମାଗଣା ବୁଷ୍ଟର ଡୋଜ ଦେବା ପାଇଁ ବିଚାର ଚାଲିଛି । ଏହାରି ଭିତରେ ସାମାଜିକ ଦୂରତା ସାଙ୍ଗକୁ ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।