ଭିଆରଏସ୍ ନେଲେ ଆଇଏଏସ୍ ସୁଦର୍ଶନ ପାଲ୍ ଠାକୁର : ଗତ ୨ ତାରିଖରେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ; ରାଜ୍ୟ ସରକାର ଆବେଦନ ମଞ୍ଜୁର କଲେ

102

କନକ ବ୍ୟୁରୋ : ଭିଆରଏସ୍ ବା ସ୍ୱେଚ୍ଛାକୃତ ଅବସର ନେଲେ ଆଇଏଏସ୍ ସୁଦର୍ଶନ ପାଲ୍ ଠାକୁର । ୧୯୮୬ ବ୍ୟାଚର ଆଇଏଲସ୍ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏସପି ଠାକୁର ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ଚଳିତମାସ ୨ ତାରିଖରେ ସ୍ୱେଚ୍ଛାକୃତ ଅବସର ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅବଗତ କରାଇଥିଲେ ଏସପି ଠାକୁର । ତାଙ୍କର ଆବେଦନ ମଧ୍ୟ ମଞ୍ଜୁର ହୋଇଛି । ବ୍ୟକ୍ତିଗତ କାରଣରୁ ସେ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ସ୍ୱେଚ୍ଛାକୃତ ଅବସର ନେବା ପାଇଁ କିଛି ନିୟମ ରହିଛି । ଜଣେ ଆଇଏଏସ୍ ଅଫିସର୍ ୩୦ ବର୍ଷ କାର୍ଯ୍ୟ ସହ ଯଦି ତାଙ୍କୁ ୫୦ ବର୍ଷ ବୟସ ହୋଇଥିବ, ତାହେଲେ ଜଣେ ସ୍ୱେଚ୍ଛାକୃତ ଅବସର ନେଇପାରିବେ ।

ଏହା ସହ ୩ମାସ ପୂର୍ବରୁ ରାଜ୍ୟ ସରକାରଙ୍କୁ ଅବଗତ କରିବାକୁ ମଧ୍ୟ ପଡ଼ିବ । ୨୦୧୬ ମସିହା ଅଗଷ୍ଟ ୨୪ ତାରିଖରେ ଏସପି ଠାକୁରଙ୍କର କାର୍ଯ୍ୟକାଳ ୩୦ ବର୍ଷ ପୂରି ସାରିଥିଲା । ଏଥିସହିତ ୨୦୧୩ ମସିହା ମାର୍ଚ୍ଚ ୨୮ ତାରିଖରେ ସେ ୫୦ ବର୍ଷ ବୟସ ଅତିକ୍ରମ ମଧ୍ୟ କରିସାରିଥିଲେ । ତେଣୁ ସେ ସ୍ୱେଚ୍ଛାକୃତ ଅବସର ନେଇପାରିବେ ବୋଲି ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି । ୧୯୬୩ ମସିହା ମାର୍ଚ୍ଚ ୨୯ରେ ଜନ୍ମିତ ଏସପି ଠାକୁର ୧୯୮୬ ମସିହା ଅଗଷ୍ଟ ୨୫ ତାରିଖରେ ଆଇଏଏସ୍ ଭାବେ ଯୋଗଦେଇଥିଲେ । ଏହା ପୂର୍ବରୁ ଗତ ମାର୍ଚ୍ଚ ୧୭ ତାରିଖରେ ଆଇଏଏସ୍ ବିଜୟ ଆରୋରା ମଧ୍ୟ ସ୍ୱେଚ୍ଛାକୃତ ଅବସର ନେଇଥିଲେ ।