ମୁକେଶ ଆମ୍ବାନୀଙ୍କୁ ମିଳିଲା ୮ ଧମକପୂର୍ଣ୍ଣ ଫୋନକଲ, ୩ ଘଂଟାରେ ପୁରା ପରିବାରକୁ ସମାପ୍ତ କରିଦେବାକୁ ଧମକ

522

କନକ ବ୍ୟୁରୋ : ଦେଶରେ ବୃହତ ବ୍ୟବସାୟୀ ମୁକେଶ ଆମ୍ବାନୀଙ୍କୁ କେହି ଜଣେ ଅଜଣା ଲୋକ ୮ ଥର ଫୋନ କରି ପୁରା ପରିବାରକୁ ୩ ଘଂଟା ମଧ୍ୟରେ ଶେଷ କରିଦେବାକୁ ଧମକ ଦେଇଛି । ଗଣମାଧ୍ୟମର ସୂଚନା ମୁତାବକ ରିଲାୟନ୍ସ ଫାଉଣ୍ଡେସନ ହସ୍ପିଟାଲର ଡିସପ୍ଲେ ନମ୍ବରକୁ କେହି ଅଜଣା ବ୍ୟକ୍ତି ୮ ଥର ଫୋନ କରି ଏଭଳି ଧମକ ଦେଇଛନ୍ତି । ଏଭଳି ଧମକପୂର୍ଣ୍ଣ ଫୋନକଲ ପାଇବା ପରେ ହସ୍ପିଟାଲ ମ୍ୟାନେଜମେଣ୍ଟ ପକ୍ଷରୁ ଡିବି ମାର୍ଗ ପୋଲିସ ଷ୍ଟେସନରେ ଅଭିଯୋଗ କରାଯାଇଛି ।

ସେପଟେ ଏଭଳି ଧମକପୂର୍ଣ୍ଣ ଫୋନକଲ ପରେ ଅମ୍ବାନୀଙ୍କ ପରିବାରର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି । ସେପଟେ ପୋଲିସ ଏହି ଫୋନ ନମ୍ବରକୁ ନେଇ ଯାଂଚ ଆରମ୍ଭ କରିଦେଇଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି କି ଗୋଟିଏ ଲୋକ ଲଗାତର ଭାବେ ୮ଥର ଫୋନ କରିଛି । ଏହି ମାମଲାର ଯାଂଚ କରିବାକୁ ମୁମ୍ବାଇ ପୋଲିସ ପକ୍ଷରୁ ୩ ଟି ଟିମ୍ ଗଠନ କରାଯାଇଛି ।

କହିରଖୁ କି, ଏହା ପୂର୍ବରୁ ମୁକେଶ ଅମ୍ବାନୀଙ୍କ ଘର ଏଣ୍ଟିଲିଆ ନିକଟରୁ କିଛି ବିସ୍ଫୋଟକ ଭର୍ତ୍ତି କାର ମିଳିଥିଲା । ଏହି ମାମଲାରେ ମୁମ୍ବାଇ ପୋଲିସର ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ ବାଜେଙ୍କ ନାମ ଆସିଥିଲା । ଏହି ମାମଲାରେ ଏନଆଇଏ ଯାଂଚ ଚଳାଇଥିବା ବେଳେ ଏନଆଇଏକୁ ଇଣ୍ଡିଆନ ମୁଜାହିଦ୍ଦିନ ଆତଙ୍କୀ ସଂଗଠନ ବି ଧମକ ଦେଇଛି ।