ଭୁବନେଶ୍ୱର ଡିଏଭି ଛାତ୍ରୀ ଆତ୍ମହତ୍ୟା ମାମଲା ! ମୃତ ଛାତ୍ରୀଙ୍କ ବାପାମାଆଙ୍କୁ କ୍ୟାପିଟାଲ ଥାନାରେ ପଚରାଉଚରା ।

25

କନକ ବ୍ୟୁରୋ : ଭୁବନେଶ୍ୱର ୮ ନମ୍ବର ଡିଏଭି ସ୍କୁଲର ଛାତ୍ରୀ ଆତ୍ମହତ୍ୟା ମାମଲା । ଆଜି କ୍ୟାପିଟାଲ ଥାନାରେ ପହଂଚିଛନ୍ତି ମୃତ ଛାତ୍ରୀ ତାନିଆ ବାନାର୍ଜୀଙ୍କ ବାପାମାଆ । ସେମାନେ କ୍ୟାପିଟାଲ ଥାନାରେ ପହଂଚିବା ପରେ ତାଙ୍କୁ ପଚରାଉଚରା କରୁଛି ପୁଲିସ । ତେବେ ଗତକାଲି ମୃତ ତାନିଆ ବାନାର୍ଜିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଆଜି ତାଙ୍କର ବାପାମାଆଙ୍କୁ ଜେରା କରଯାଉଛି । ଛାତ୍ରୀ ଜଣଙ୍କ ସ୍କୁଲ ହଷ୍ଟେଲର ଆତ୍ମହତ୍ୟା କରିଥିଲେ ।

ହଷ୍ଟେଲରେ ରହୁଥିବା କିଛି ଛାତ୍ରୀ ଚୋରଣୀ କହି ମାନସିକ ନିର୍ୟାତନା ଦେଇଥିବା କଥା ସେ ମାଆଙ୍କୁ କହିଥିଲେ । ଲିପଷ୍ଟିକ ଓ ପାଉଡର ଚୋରି କରିଥିବା ଅଭିଯୋଗରେ ତାଙ୍କ ରୁମ୍ ଭିତରେ ପଶି ଅନ୍ୟ ଝିଅମାନେ ଜିନିଷ ପତ୍ର ଫିଙ୍ଗା ଫୋପଡା କରିଥିବା କଥା ମଧ୍ୟ ମାଆଙ୍କୁ କହିଥିଲେ ତାନିଆ । ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଥିଲେ ମୃତ ତାନିଆଙ୍କ ପରିବାର ।

ଡିଏଭି ସ୍କୁଲ ପରିସରରେ ଥିବା ଛାତ୍ରୀନିବାସରେ ରହୁଥିବା ଏହି ଛାତ୍ରୀଜଣକର ମୃତ ଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ପୁଲିସ ପୋଷ୍ଟମର୍ଟମ ପାଇଁ ଛାତ୍ରୀଙ୍କ ମୃତ ଦେହକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା । ଡିଏଭି ଛାତ୍ରୀ ମୃତ୍ୟୁ ଘଟଣାରେ ସ୍କୁଲର ପ୍ରିନ୍ସପାଲ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଘଟଣାର ତଦନ୍ତ ପାଇଁ ଅନ୍ତରୀଣ କମିଟି ଗଠନ ହୋଇଥିଲା ।

ଯଦି କେହି ଛାତ୍ରଛାତ୍ରୀ ଏଥିରେ ସଂପୃକ୍ତ ଥାନ୍ତି ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରିନ୍ସପାଲ କହିଥିଲେ । ଛାତ୍ରୀଙ୍କୁ ସିନିୟର ଛାତ୍ରୀମାନେ ହଇରାଣକରୁଥିବା ନେଇ କେହି ଅଭିଯୋଗ କରିନଥିଲେ ବୋଲି ସେ କହି ଥିଲେ । ପୋଲିସ ଏହି ଘଟଣାରେ କିଛି ଛାତ୍ର ଓ ହଷ୍ଟେଲ ସୁପରିଟେଣ୍ଡେଂଟଙ୍କ ବୟାନ ରେକର୍ଡ କରିଥିଲା ।