ଓଡିଶା ଫେରିବ ବିଜୁବାବୁଙ୍କ ଡାକୋଟା ବିମାନ ! କଟକ ଆନନ୍ଦ ଭବନରେ ଡାକୋଟା ରଖାଯିବା ନେଇ ପ୍ରସ୍ତୁତି ଆରମ୍ଭ

98

କନକ ବ୍ୟୁରୋ : ଓଡିଶା ଫେରିବ ବିଜୁ ବାବୁଙ୍କ ଡାକୋଟା ବିମାନ । କଟକ ଜିଲ୍ଲାପାଳ ଓ ବିଧାୟକ ଏନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । କଟକକୁ ଡାକୋଟା ଆସିଲେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ । ବିଜୁ ବାବୁଙ୍କ ଜନ୍ମସ୍ଥାନ ଆନନ୍ଦଭବନରେ ଡାକୋଟାକୁ ରଖାଯିବ । ଏନେଇ ଆନନ୍ଦ ଭବନ ସମ୍ମୁଖରେ ଥିବା ପଡିଆରେ ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍ଥାୟୀ ଭାବେ ଡାକୋଟାକୁ ଏଠାରେ ପ୍ରଦର୍ଶିତ କରାଯିବ । ବିଜୁବାବୁଙ୍କ ଦୁଃସାହାସିକ କୌଶଳ ସ୍ମୃତିରେ ଯୁବପୀଢି ଉତ୍ସାହିତ ହେବେ ବୋଲି ଜିଲ୍ଲାପାଳ କହିଛନ୍ତି । ଗତ ଡିସେମ୍ବର ୧୧ ତାରିଖରେ ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆ ଏହି ବିମାନ ସ୍ଥାନାନ୍ତରଣ ନେଇ ଚିଠି ଲେଖିଛନ୍ତି । ଏହି ଚିଠି ପାଇବା ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ବିମାନ ଉଡାଇ ବିଜୁ ପଟ୍ଟନାୟକ ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀ ସୁତାନ ଜାହାରିରଙ୍କୁ ଉଦ୍ଧାର କରିଥିଲେ ଏବଂ ଜମ୍ମୁ କାଶ୍ମୀରରେ ଟ୍ରୁପ ନିଆଅଣା କରିଥିଲେ । କୋଲକାତାରେ ଦୀର୍ଘ ଦିନ ଧରି ପଡି ନଷ୍ଟ ହେଉଥିବା ଏହି ବିମାନ ଏବେ ଓଡିଶା ଆସିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ୭୦ ବର୍ଷ ପରେ ଓଡିଶା ଆସିବ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ‘ଡାକୋଟା’। ଏହି ଡାକୋଟା ସହ ବିଜୁ ବାବୁଙ୍କର ସ୍ମୃତି ଜଡିତ ଥିବାବେଳେ ଏବେ ଏହାକୁ ଓଡିଶା ଆଣିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସେତେବେଳର ପାଇଲଟ ବିଜୁ ପଟ୍ଟନାୟକ ୧୯୪୭ରେ ପ୍ରତିଷ୍ଠା କରିଥିଲେ କଳିଙ୍ଗ ଏୟାର ଲାଇନସ । କୋଲକାତାରେ ଏହାର ମୁଖ୍ୟ କାର୍ୟ୍ୟାଳୟ ଥିବାବେଳେ ଏଥିରେ ୧୫ଟି ଡାକୋଟା ବିମାନ ରଖାଯାଇଥିଲା । ଏହି ବିମାନ କାଶ୍ମୀରରେ ସେନା ବାହିନୀର ଯବାନଙ୍କୁ ପରିବହନ କାର୍ୟ୍ୟରେ ନିୟୋଜିତ ଥିବାବେଳେ ଉତ୍ତରପୂର୍ବ ଭାରତରେ ସେନା ଶରଣାର୍ଥୀଙ୍କୁ ସେବା ଯୋଗାଇ ଆସୁଥିଲା । ୧୯୪୭ ଜୁଲାଇ ୨୧ରେ ବିଜୁ ଏହି ‘ଡାକୋଟା ଡିସି-୩’ ବିମାନକୁ ନିଜେ ଚଳାଇ ଇଣ୍ଡୋନେସିଆର ତତ୍କାଳୀନ ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଶତ୍ରୁ କବଳରୁ ଉଦ୍ଧାର କରି ରାତାରାତି ହିରୋ ପାଲଟି ଯାଇଥିଲେ ।

ପ୍ରଧାନମନ୍ତ୍ରୀ ଜବାରହାରଲାଲ ନେହେରୁଙ୍କୁ ନିର୍ଦ୍ଦେଶମତେ ୩୨ ବର୍ଷିୟ ଯୁବ ପାଇଲଟ ବିଜୁ ପଟ୍ଟନାୟକ ଯୁଦ୍ଧର ଭୟାବହତାକୁ ଖାତିର ନ କରି ନିଜେ ଏହି ‘ଡାକୋଟା ଡିସି-୩’ ବିମାନରେ ଜାକର୍ତ୍ତା ଯାଇ ଉଭୟ ଉପରାଷ୍ଟ୍ରପତି ମହମ୍ମଦ ହାଟା ଏବଂ ପ୍ରଧାନମନ୍ତ୍ରୀ ସାହାରିୟରଙ୍କୁ ଉଦ୍ଧାର କରିଥିବାର ବର୍ଣ୍ଣନା ରହିଛି । ତାଙ୍କର ଏହି ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଇଣ୍ଡୋନେସିଆ ସରକାର ଭୂମିପୂତ୍ର ଉପାଧିରେ ଭୂଷିତ କରିଥିଲେ । ତେବେ ଏହି ଡାକୋଟା ବିମାନ ସେହି ସମୟରୁ କୋଲକାତାରେ ରହିଆସିଛି । ଏବେ ଏହି ବିମାନର ଖଣ୍ଡବିଖଣ୍ଡିତ କିଛି ଅଂଶ ବି କୋଲକାତାର ନେତାଜୀ ସୁଭାଷ ବୋଷ ଅର୍ନ୍ତଜାତୀୟ ବିମାନ ବନ୍ଦର ସଂଗ୍ରହାଳୟରେ ସ୍ଥାନ ପାଇଛି । ଏହାକୁ ଓଡିଶା ଆଣିବା ପାଇଁ ୨ ବର୍ଷ ତଳେ ଜଣେ ବ୍ୟକ୍ତି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । ଆଉ ଏହାପରେ ଡାକୋଟା ଆଣିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରୟାସ ।