କରୋନା ପାଇଁ ଚିନ୍ତା: ୮ଶହ ପାଖପାଖି ପହଁଚିଲାଣି ଦୈନିକ ସଂକ୍ରମଣ, ଦିନକରେ ୭୯୭ ସଂକ୍ରମିତ ଚିହ୍ନଟ, ୫ଜଣଙ୍କ ମୃତ୍ୟୁ 

134

କନକ ବ୍ୟୁରୋ: ଦିନ ଯେତିକ ଗଡୁଛି ସେତିକ ବଢ଼ୁଛି ଭୟ । ଗତ ୨୪ ଘଂଟାରେ ଦେଶରୁ  ୭୯୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୁୁରୁବାର ୭୦୨ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଶୁକ୍ରବାର ୮ଶହ ପାଖରେ ପହଁଚିଛି ଦୈନିକ ସଂକ୍ରମଣ । ୨୨୫ ଦିନରେ ଏହା ସବୁଠୁ ଅଧିକ ସଂକ୍ରମଣ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ତେବେ ସଂକ୍ରମିତଙ୍କ ମଧ୍ୟରେ ୧୫୭ଜଣ ଓମିକ୍ରନ ସବ୍ ଭ୍ୟାରିଆଂଟ ‘ଜେଏନ ଡଟ ୱାନ’ରେ  ସଂକ୍ରମିତ ହୋଇଥିବା ସୂଚନା ରହିଛି । ୫ଜଣ ମୃତକଙ୍କ ମଧ୍ୟରେ ଦୁଇଜଣ କେରଳର । ମହାରାଷ୍ଟ୍ର, ପୁଡୁଚେରୀ ଓ ତାମିଲନାଡୁରୁ ଜଣେ ଲେଖାଏଁ ରହିଛନ୍ତି । ପ୍ରତିଥର ପରି ଏଥରକ ମଧ୍ୟ ସବଠୁ ଅଧିକ ସଂକ୍ରମିତ କେରଳରୁ ଚିହ୍ନଟ ହେଉଛନ୍ତିି । ପରେ ଗୁଜରାଟ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ରାଜସ୍ଥାନ,ତାମିଲନାଡୁ, ତେଲେଙ୍ଗାନା ଓ ଦିଲ୍ଲୀ ରହିଛି । ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ହଜାର ଟପିଛି ।

ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପରେ ଲୋକଙ୍କ ସଚେତନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ହୁ କହିଛି–ଓମିକ୍ରନ ସବଭ୍ୟାରିଆଂଟ ‘ଜେଏନ ଡଟ ୱାନ’ ଭୂତାଣୁ ଦ୍ରୁତ ଗତିରେ ମାଡୁଛି । ବୟସ୍କ ଓ ବହୁବ୍ୟାଧି ରୋଗୀ ସତର୍କ ରହିବା ଆବଶ୍ୟକ । ଏମ୍ସର ପରାମର୍ଶ ଲକ୍ଷଣ ପ୍ରକାଶ ପାଇଲେ ଅବହେଳା କରନ୍ତୁନି । ଦରକାର ପଡିଲେ କରୋନା ପରିକ୍ଷା କରନ୍ତୁ ଓ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା କରୁନ୍ତୁ ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ମତରେ ଦୁନିଆରେ କୋଭିଡ-୧୯ ଅନେକ ପ୍ରଜାତି ଓ ଉପପ୍ରଜାତି ରହିଛି । ସଂକ୍ରମିତଙ୍କ ନିକଟରେ ପ୍ରାୟ ସମାନ ଲକ୍ଷଣ ପ୍ରକାଶ ପାଉଥିଲେ ମଧ୍ୟ କିଛି କ୍ଷେତ୍ରରେ ଭିନ୍ନ ରହୁଛି । ବ୍ୟକ୍ତିର ରୋଗପ୍ରତିରୋଧକ ଶକ୍ତି ଅନୁସାରେ ଲକ୍ଷଣରେ ଭିନ୍ନତା ରହୁଛି ।  ଏଥିସହ ଅଧିକାଂଶ ଲୋକ କରୋନା ଭ୍ୟାକସିନ ଓ ବୁଷ୍ଟର ଡୋଜ ନେଇସାରିଥିବାରୁ ସେମାନଙ୍କ ନିକଟରେ ଭିନ୍ନ ଭିନ୍ନ ଲକ୍ଷଣ ମଧ୍ୟ ଦେଖାଯାଇପାରେ । ତେବେ କରୋନା ଭ୍ୟାକ୍ସିନ ‘ଜେଏନ ଡଟ ୱାନ’ ଉପରେ ପ୍ରଭାବଶାଳୀ ରହିବ ଓ ଏହା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ନକରିପାରେ । ଭୟଭୀତ ନହେବାକୁ ଗୋଟେ ପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଦେଉଛନ୍ତି ସତ କିନ୍ତୁ ଲଗାତାର ମୃତ୍ୟୁ ଓ ସଂକ୍ରମଣ ବୃଦ୍ଧି ପୁଣି କରୋନା ମହାମାରୀର ସେହି ଡର ବଢ଼ିବାରେ ଲାଗିଛି ।