ମାଆଙ୍କୁ ଲାଗିହେଲା ଦହି ପଖାଳ। ଦୁର୍ଗାରୂପରେ ପୂଜା ପାଇଲେ କୁଆଁରୀ କନ୍ୟା 

72

କନକ ବ୍ୟୁରୋ: ମହାନବମୀରେ ସମସ୍ତ ରୀତିନୀତି ସହିତ ମାଆଙ୍କ ନିକଟରେ ଦହି ପଖାଳ ଭୋଗ ଲାଗି ହୋଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦହି ପଖାଳ ପ୍ରସାଦ ବ୍ୟବସ୍ଥା କରିଛି କଟକ ମଙ୍ଗଳାବାଗ ପୂଜା କମିଟି । ପ୍ରାୟ ୫ଶହରୁ ଅଧିକ ଲୋକଙ୍କ ପାଇଁ ଏହି ପ୍ରସାଦ ବ୍ୟବସ୍ଥା କରାଯାଇଛି । ସେପଟେ ଚାନ୍ଦନୀଚୌକ ମଣ୍ଡପ ଓ ଅଲିଶା ବଜାର ମଣ୍ଡପରେ ମାଆଙ୍କ ନିକଟରେ ମାଛ ଭୋଗ ଲାଗି କରାଯାଇଛି । ଚାନ୍ଦିନି ଚୌକ ପୂଜା ମଣ୍ଡପରେ ମାଆଙ୍କୁ ମାଛ ଭୋଗ ଲାଗି କରିବା ପଂରପରା ପ୍ରାୟ ୨୦୦ ବର୍ଷ ହେବ ପାଳିତ ହୋଇ ଆସୁଛି ।

ମହାନବମୀରେ ମହାମାୟାଙ୍କ ନିକଟରେ କନ୍ୟା ପୂଜନର ପରମ୍ପରା ରହିଛି । ଭୁବନେଶ୍ୱରର ଅଟଳା ପଞ୍ଚମୂଖୀ ପୂଜା ମଣ୍ଡପରେ କୁଆଁରୀ କନ୍ୟାଙ୍କୁ ଦୁର୍ଗା ରୁପରେ ସଜାଇ ପୂଜା କରାଯାଇଛି ।

  • ପୂଜାମଣ୍ଡପ ତୋରଣରେ ସୂର୍ଯ୍ୟରଥ
  • ବଡଗଡରେ ଇଟାଲିର ବୁଦ୍ଧମନ୍ଦିର

ଚଳିତ ବର୍ଷ ଚାରିଆଡେ ଧୁମଧାମରେ ଚାଲିଛି ଦୁର୍ଗାପୂଜା । ରାଜଧାନୀର ପୂଜା ବଜାରରେ ଚଳିତ ବର୍ଷ ଭୁବନେଶ୍ୱର ୟୁନିଟ -୧ର ପୂଜା ମଣ୍ଡପର ତୋରଣକୁ ନେଇ ଚର୍ଚ୍ଚା । ସୂର୍ଯ୍ୟରଥ ଶୈଳୀରେ ତିଆରି ହୋଇଥିବା ଏହି ତୋରଣ ଶ୍ରଦ୍ଧାଳୁଙ୍କ ମନ ମୋହୁଛି । ଆକର୍ଷଣୀୟ ଆଲୋକମାଳାରେ ଝଲମଲ କରୁଛି ପୂଜା ମଣ୍ଡପ । ମଣ୍ଡପ ଭିତର ସାଜସଜ୍ଜା ରାଜପ୍ରାସାଦ ଭଳି ହୋଇଛି । ସେପଟେ ଭୁବନେଶ୍ୱରର ବଡ଼ଗଡ଼ରେ ମା’ଦୁର୍ଗାଙ୍କ ପୂଜା ସହ ମୁଖ୍ୟ ଆକର୍ଷଣ ପାଲଟିଛି ପୂଜା ମଣ୍ଡପ ଓ ତୋରଣ । ଇଟାଲୀରେ ଥିବା ଏକ ବୁଦ୍ଧ ମନ୍ଦିରର ସଦୃଶ ତିଆରି ହୋଇଛି ମଣ୍ଡପ ତୋରଣ । ଏହି ତୋରଣ ବେଶ ଆକର୍ଷଣୀୟ ହୋଇଥିବା ବେଳେ ଦେଖିବାକୁ ଲାଗିଛି ଲୋକଙ୍କ ଭିଡ ।

ସେହିପରି ବାଲେଶ୍ୱରରେ ଦେଖିବାକୁ ମିଳିଛି ଭିନ୍ନ ପୂଜା ମଣ୍ଡପ । ବିନା ମହିଷାସୁରରେ ପୂଜା ପାଉଛନ୍ତି ମହିଷାମର୍ଦ୍ଦିନୀ । ଜିଲ୍ଲାର ହେମକପଦ ପୂଜା ମଣ୍ଡପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଦୁର୍ଗାମଣ୍ଡପରେ ଦୁର୍ଗାଙ୍କ ସହ ମହିଷାସୁର ନଥାଇ ଶ୍ରୀରାମଚନ୍ଦ୍ର, ଲକ୍ଷ୍ମଣ, ହନୁମାନ ସୁଗ୍ରୀବ ଓ ବିଭୀଷଣ ରହିଛନ୍ତି ।