ଲଘୁଚାପ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡିଶାରେ ଦିନ ତମାମ ବର୍ଷା । ଭିଜିଲା ପୂଜା ମଣ୍ଡପ, ଫିକା ପଡିଲା ଦଶହରା ବୁଲା

77

କନକ ବ୍ୟୁରୋ: ବର୍ଷା ଭିଜାଇଲା ପୂଜା ବଜାର । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ଆଉ ଲଗାଣ ବର୍ଷାରେ ଭୁଷୁଡି ପଡିଛି ଦୁର୍ଗା ପୂଜା ପାଇଁ ପ୍ରସ୍ତୁତ ସୁସଜ୍ଜିତ ତୋରଣ । ପୂଜା ମଣ୍ଡପର ଆକର୍ଷଣ ବଢାଇବାକୁ ତିଆରି ହୋଇଥିବା ଆଲୋକ ଗେଟ୍ ବର୍ଷାରେ ଭୁଷୁଡି ଯାଇଛି ।

  • ବର୍ଷା ଭିଜାଇଲା ପୂଜା ବଜାର
  • ଫିକା ପଡିଲା ଦଶହରା ବୁଲା

ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ସୋମବାର ରାତିରୁ ଆରମ୍ଭ ହୋଇଥିବା ବର୍ଷା ମଙ୍ଗଳବାର ଦିନ ତମାମ ଲାଗି ରହିଥିଲା । ବିଶେଷକରି ଉପକୂଳ ଓଡିଶା ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଟୁଇନ ସିଟି ଭୁବନେଶ୍ୱର ଓ କଟକରେ ମଧ୍ୟ ତୁହାକୁ ତୁହା ବର୍ଷା ଲାଗି ରହିଥିଲା । ଗତ ୨୪ଘଣ୍ଟାରେ କାକଟପୁରରେ ସର୍ବାଧିକ ୧୬୦ ମିଲିମିଟର, ଅସ୍ତରଙ୍ଗରେ ୧୪୪ମିଲିମିଟର ଓ ଗୋପରେ ୧୦୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ରାଜ୍ୟର ବହୁ ସ୍ଥାନରେ ୧୦୦ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଆଉ ପ୍ରବଳ ବର୍ଷା ଦଶହରା ପୂଜାକୁ ପ୍ରଭାବିତ କରିଛି । ବର୍ଷା ଯୋଗୁଁ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି ।

ଲଘୁଚାପ କ୍ଷେତ୍ର ବର୍ତ୍ତର୍ମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ପାଶ୍ୱର୍ବର୍ତୀ ସମୁଦ୍ର ମଧ୍ୟରେ ଆନ୍ଧ୍ର ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଆନ୍ଧ୍ର ଉପକୂଳମୁହାଁ ହେବାର ସମ୍ଭାବନା ରହିଛି । ଆଉ ଏହାର ପ୍ରଭାବରେ ବୁଧବାର ଉପକୂଳ ଓଡିଶା ଓ ଦକ୍ଷିଣ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷାକୁ ଦେଖି ରାଜ୍ୟର ଦକ୍ଷିଣ ଓଡିଶାର ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି ଓ ୧୫ରୁ ଅଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।