ରାହୁଲ ଗାନ୍ଧୀଙ୍କ ନାଁରେ ସବୁ ସମ୍ପତ୍ତି କରିଦେଲେ ବୃଦ୍ଧା, କହିଲେ ଦେଶକୁ ରାହୁଲଙ୍କର ରହିଛି ଆବଶ୍ୟକତା ।

1,281

କନକ ବ୍ୟୁରୋ : ରାହୁଲଙ୍କ ନାଁରେ କରିଦେଲେ ସବୁ ସମ୍ପତ୍ତି ।  ଉତ୍ତରାଖଣ୍ଡର ଜଣେ ବୃଦ୍ଧା ନିଜର ସମସ୍ତ ସମ୍ପତ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଁରେ କରିଛନ୍ତି । ୭୮ ବର୍ଷିୟା ମହିଳା ନିଜର ପ୍ରାୟ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ରାହୁଲଙ୍କ ନାଁରେ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି । ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ସହ ୧୦ ତୋଳା ସୁନା ଅଳଙ୍କାର ମଧ୍ୟ ରାହୁଲଙ୍କ ନାଁରେ କରିଛନ୍ତି ବୃଦ୍ଧା ।

ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ କଂଗ୍ରେସ ପରାଜିତ ହୋଇଥିବା ବେଳେ ଏବେ ଦଳୀୟସ୍ତରରେ ମାନସମନ୍ଥନ ଚାଲିଛି । କଂଗ୍ରେସ ଏବେ ଦେଶରେ ନିଜର ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ କରୁଛି ।  ଆଉ ଏସବୁ ଭିତରେ ଉତ୍ତରାଖଣ୍ଡର ଏହି ବୃଦ୍ଧା ଜଣକ ରାହୁଲଙ୍କ ନାଁରେ ସବୁ ସମ୍ପତ୍ତି କରିବା ସହ ଦେଶକୁ ରାହୁଲଙ୍କର ଆବଶ୍ୟକତା ରହିଛି ବୋଲି କହିଛନ୍ତି ।

ଡେହରାଡୁନ ନିବାସୀ ୭୮ ବର୍ଷିୟା ପୁଷ୍ପା ମ୍ୟୁନଜିୟାଲ ନିଜର ସମସ୍ତ ସମ୍ପତ୍ତି ରାହୁଲଙ୍କ ନାଁରେ କରିବା ସହ କହିଛନ୍ତି, ରାହୁଲଙ୍କ ବିଚାରଧାରା ସହ ମୁଁ ବେଶ ପ୍ରଭାବିତ । ଯେଉଁଥିପାଇଁ ସମସ୍ତ ସମ୍ପତ୍ତି ରାହୁଲଙ୍କ ନାଁରେ କରୁଛି । ଏହାଛଡା ଦେଶର ସ୍ୱାଧୀନତା ପାଇବା ଠାରୁ ଆଜି ପର୍ଯ୍ୟନ୍ତ ଗାନ୍ଧୀ ପରିବାରର ଅବଦାନ ଢେର ଅଧିକ । ଗାନ୍ଧୀ ପରିବାରକୁ ଏଥିପାଇଁ ଅନେକ ତ୍ୟାଗ କରିବାକୁ ପଡିଛି । ଦେଶର ଅଖଣ୍ଡତା,ଏକତା ଓ ସାବଭୌମତ୍ୱ ପାଇଁ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ନିଜର ପ୍ରାଣତ୍ୟାଗ କରିଛନ୍ତି । ତେଣୁ ଗାନ୍ଧୀ ପରିବାର ଦ୍ୱାରା ମୁଁ ବେଶ ପ୍ରଭାବିତ ।